ଆନନ୍ଦ ଉତ୍ସାହର ସହିତ ଶେଷ ହୋଇଛି ରାଜକନିକା ବ୍ଲକରେ ୬୦୦ବର୍ଷର କନିକା ରାଜ ମେଲଣ

ରାଜକନିକା:କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକରେ ୬୦୦ବର୍ଷର କନିକା ରାଜ ମେଲଣ ଆନନ୍ଦ ଉତ୍ସାହର ସହିତ ଶେଷ ହୋଇଛି । ପାଞ୍ଚଦିନ ଧରି କାଳିକାପୁର, ଆୟତନ, ଦେଉଳି ଏବଂ ଗିରୀଆ ମେଲଣ ଉତ୍ସବ ପରେ କନିକାର ପ୍ରସିଦ୍ଧ ମେଲଣ ଉତ୍ସବର ଶେଷ ଦିନରେ କନିକା ରାଜପ୍ରସାଦ ଆଗରେ ରାଜମେଲଣ ଅନୁଷ୍ଠିତ ହୋଇଛି । ଏହି ରାଜ ମେଲଣ ଉତ୍ସବକୁ ଦେଖିବା ପାଇଁ ଲୋକେ ପ୍ରତିବର୍ଷ ଚାହିଁ ରହିଥାନ୍ତି । ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା ଠାରୁ ଆରମ୍ଭ କରି ଆଳି, ପଟ୍ଟାମୁଣ୍ଡାଇ ରାଜନଗର ଏବଂ ଚାନ୍ଦବାଲି ଅଂଚଳରୁ ହାଜାର ହଜାର ଲୋକେ ଯୋଗଦେଇ ପ୍ରେମ ଓ ପ୍ରୀତିର ପର୍ବ ହୋଲି ଉତ୍ସବକୁ ପାଳନ କରିଛନ୍ତି । ଏହି ମେଲଣରେ ଲୋକେ କନିକା ରାଜା ଏବଂ ରାଣୀଙ୍କ ସହିତ ରଙ୍ଗ ଖେଳିବାର ମଜା ନେଇଥାନ୍ତି । ୫୦ରୁ ଅଧିକ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ସୁସର୍ଜ୍ଜିତ ବିମାନରେ ଧାଡ଼ି ଧାଡ଼ି ହୋଇ ମେଲଣ ପଡ଼ିଆକୁ ଶୋଭାଯାତ୍ରାରେ ଆସି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ପୁରାତନ ହୋଲି ଗୀତ ସାଙ୍ଗକୁ ଘଣ୍ଟ ହୁଳହୁଳି, ଝାଞ୍ଜ ମୃଦଙ୍ଗ ସହିତ ନାଚ ଗୀତରେ ଫାଟି ପଡ଼ିଥିଲା ମେଲଣ ପଡ଼ିଆ । ଭଜନ ଗାଇ ଗାଇ ରାଧାକୃଷ୍ଣଙ୍କ ଭକ୍ତି ନିବେଦନ କରଥିଲେ ଲୋକେ ।

ଏହି ଉତ୍ସବରେ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ଏବଂ ରାଣୀ ମୃଣାଳିନୀ ଦେବୀ ହଜାର ହଜାର ଲୋକମାନଙ୍କ ସହିତ ରଙ୍ଗ ଅବିରରେ ହୋଲି ଖେଳି ଶୁଭେଚ୍ଛା ଜଣାଇଛନ୍ତି । ରାଜାରାଣୀ ରାଧାକୃଷ୍ଣଙ୍କୁ ଦର୍ଶନ କରି ପୂଜାଅର୍ଚ୍ଚନା କରିଛନ୍ତି । ବିଭିନ୍ନ ଜାତି ଧର୍ମ ଓ ଦଳମତ ନିର୍ବିଶେଷରେ ଭେଦଭାବ ଭୁଲି ମେଲଣ ପଡ଼ିଆରେ ଏକାଠି ହୋଇ ଭାତୃଭାବ ସହିତ ପରସ୍ପର ରଙ୍ଗ ଅବିରରେ ହୋଲି ଖେଳି ଉତ୍ସବ ପାଳନ କରିଛନ୍ତି ।

Spread the love