ମାର୍କେଟ କମ୍ପ୍ଲେକ୍ସରେ ନିଆଁ, ୩ ପର୍ଯ୍ୟଟକ ଉଦ୍ଧାର

ପୁରୀ: ଟାଉନ୍‌ ଥାନା ଅନ୍ତର୍ଗତ ମରିଚିକୋଟ ଛକ ନିକଟ ଲକ୍ଷ୍ମୀବଜାରରେ ଥିବା ସମ୍ରାଟ ମାର୍କେଟ କ‌ମ୍ପ୍ଲେକ୍ସରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମାର୍କେଟ ପରିସରରେ ନିଆଁ ଲାଗିବା କାରଣରୁ ଅନେକଗୁଡ଼ିଏ ଦୋକାନର କ୍ଷତି ହୋଇଛି। ପ୍ରବଳ ଧୂଆଁ ବାହାରୁଥିବାରୁ କେତେକ ଅଗ୍ନିଶମ କର୍ମଚାରୀ ଅଣନିଶ୍ବାସୀ ହୋଇପଡିଛନ୍ତି। ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ସମ୍ରାଟ ଗେଷ୍ଟ ହାଉସରେ ଫସି ରହିଥିବା ୩ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି।। ସେମାନଙ୍କୁ ପୁରୀ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା ଜାରି ରହିଛି। ରାତି ୧୧ଟା ସୁଦ୍ଧା ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରିନାହିଁ। ଅଗ୍ନିଶମ ବିଭାଗର ୬ଟି ଗାଡି ନିଆଁ ୩ଘଣ୍ଟା ଧରି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭୁବନେଶ୍ବର, ଖୋର୍ଦ୍ଧା, ସାକ୍ଷୀଗୋପାଳରୁ ଅଗ୍ନିଶମ ଟିମ ଆସି ନିଆଲିଭାଇବାରେ ଲାଗିଛନ୍ତି।

ସୂଚନା ଅନୁସାରେ, ଆଜି ରାତି ପ୍ରାୟ ସାଢ଼େ ୮ଟାରେ ବଡଦାଣ୍ଡ ପାର୍ଶ୍ବରେ ଥିବା ଲକ୍ଷ୍ମୀ ବଜାରସ୍ଥିତ ମାର୍କେଟ କମ୍ପ୍ଲେକ୍ସରେ  କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ତଳ ମହଲାରେ ଥିବା ଏକ ଡ୍ରେସ ଦୋକାନରୁ ନିଆଁ ଲାଗିଥିବା ଅଗ୍ନିଶମ କର୍ମଚାରୀମାନେ ଆଶଙ୍କା କରୁଛନ୍ତି। ତେବେ ମାର୍କେଟ କମ୍ପ୍ଲେକ୍ସରେ ଥିବା ସମ୍ରାଟ ହୋଟେଲକୁ ନିଆଁ ବ୍ୟାପୀଛି। ତେବେ ନିଆଁ ଲାଗିବା ସମୟରେ ସମ୍ରାଟ ହୋଟେଲରେ ନାସିକରୁ ୧୨୦ ପର୍ଯ୍ୟଟକ ଥିବା ସୂଚନା ମିଳିଥିଲା। ସମସ୍ତଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୩ଜଣ ଫସି ରହିଯାଇଥିଲେ।

ସେମାନଙ୍କୁ ଉଦ୍ଧାର କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୨ଜଣ ଅଚେତ ଥିବାବେଳେ ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ହେଉଥିବା ଅଗ୍ନିଶମ କର୍ମଚାରୀମାନେ କହିଛନ୍ତି। ସେଠାରୁ ବାହାରକୁ ବାହାରିବା ରାସ୍ତା ସଂକୀର୍ଣ୍ଣ ଥିବାରୁ ଅଗ୍ନିଶମ କର୍ମଚାରୀମାନେ ଅକ୍ସିଜେନ ଧରି ଗେଷ୍ଟ ହାଉସ ଭିତରକୁ ଯାଇଛନ୍ତି। ତେବେ ଆଉ କିଛି ପର୍ଯ୍ୟଟକ ଗେଷ୍ଟ ହାଉସ ଭିତରେ ଫସି ରହିଥିବା ସନ୍ଦେହରେ ତନ୍ନ ତନ୍ନ ଯାଞ୍ଚ କରାଯାଉଛି। ମାର୍କେଟ କମ୍ପ୍ଲେକ୍ସର କିଛି ଦୋକାନଗୁଡିକରେ ସର୍ଟର ପଡି ରହିଛି। ସେଥିରୁ ୪ଟି ଦୋକାନ ଖୋଲାଯାଇଛି। ତେବେ ସର୍ଟରଗୁଡିକ ଖୋଲିଲାବେଳେ ନିଆଁର ଧାସ ଆସିଯାଉଥିବାରୁ ଲିଭାଇବାରେ ସମସ୍ୟା ସୃଷ୍ଟିହେଉଛି ବୋଲି ଅଗ୍ନିଶମ ବିଭାଗର କର୍ମଚାରୀମାନେ କହିଛନ୍ତି।

Spread the love