ଭୁବନେଶ୍ୱରକୁ ପଦଯାତ୍ରାରେ ଆସୁଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

ଅଭିନବ ଉପାୟରେ ପ୍ରତିବାଦ ଜଣାଇଲେ ଛାତ୍ରଛାତ୍ରୀ। ବୁର୍ଲାରୁ ଭୁବନେଶ୍ୱର ପଦଯାତ୍ରାରେ ବାହାରିଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ବିଏଡ୍‌ ଓ ଏମ୍‌ଏଡ୍‌ ପଢୁଥିବା ଛାତ୍ରଛାତ୍ରୀ। ପାଠ୍ୟକ୍ରମ ସରିବାପରେ ଚାକିରି ମିଳୁନଥିବା ବେଳେ ଓଟିଇଟି ପରୀକ୍ଷା ଦେବାକୁ ମଧ୍ୟ ଯୋଗ୍ୟ ବିବେଚିତ ହେଉନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଏନେଇ ବାରମ୍ବାର ରାଜ୍ୟସରକାର ଓ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କଲାପରେ ବି କୌଣସି ଲାଭ ମିଳୁନଥିବାରୁ ଏଭଳି ଉପାୟ ଆପଣାଇଛନ୍ତି। ଛାତ୍ରଛାତ୍ରୀମାନେ ଚାଲି ଚାଲି ଭୁବନେଶ୍ୱର ଆସୁଛନ୍ତି ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ଭେଟି ଦାବି ଜଣାଇବା ପାଇଁ।

ସମାନ ଦାବି ନେଇ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ପଦଯାତ୍ରାରେ ବାହାରିଥିଲେ। ତେବେ ଆସନ୍ତା ୩ ଦିନ ଭିତରେ ପଦକ୍ଷେପ ନେବାକୁ ପ୍ରଶାସନଠାରୁ ପ୍ରତିଶ୍ରୁତି ପାଇବା ପରେ ପଦଯାତ୍ରାକୁ ସ୍ଥଗିତ ରଖିଛନ୍ତି ଛାତ୍ରଛାତ୍ରୀ। ସରକାର ଯୋଗ୍ୟତା ସାର୍ଟିଫିକେଟ ଦେବା ସତ୍ତ୍ୱେ ଶିକ୍ଷକ ଯୋଗ୍ୟତା ପରୀକ୍ଷାରୁ ବଂଚିତ କରିବା ନୀତିକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ।

ସେହିଭଳି ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ସମନ୍ୱିତ ବି-ଏଡ୍ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ପ୍ରବେଶିକା ପରୀକ୍ଷା ଦେବାକୁ ବଂଚିତ କରାଯାଉଛି। ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ। ଦୀର୍ଘ ୫ଘଣ୍ଟା ଧରି ଧାରଣାରେ ବସିବା ପରେ ସଦର ବିଧାୟକ, ବିଶ୍ୱବିଦ୍ୟାଳୟ ରେଜିଷ୍ଟାର, ଓ ଅତିରିକ୍ତ ଜିଲ୍ଲାପାଳ ପିଲାଙ୍କ ସହ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

Spread the love