ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ତ ସମ୍ପର୍କିତ ଚାଲେଞ୍ଜ ମାମଲାର ଶୁଣାଣି ଘୁଞ୍ଚିଛି

ମୟୂରଭଞ୍ଜ ଜିଲା ଆଦିବାସୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ତ ସମ୍ପର୍କିତ ଚାଲେଞ୍ଜ ଓ ସରକାରଙ୍କ ପକ୍ଷରୁ ଦଣ୍ଡାଦେଶ ଅନୁମୋଦିତ ସମ୍ପର୍କିତ ମାମଲାରେ ଶୁଣାଣି ଘୁଞ୍ଚିଛି। ଏହି ମାମଲାରେ ହାଇକୋର୍ଟ ଜଷ୍ଟିସ ଦେବବ୍ରତ ଦାଶ ଓ ଡକ୍ଟର ଜଷ୍ଟିସ ଏସ କେ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ମାମଲାର ପରବର୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୧୧ରେ ହେବା ପାଇଁ ଧାର୍ଯ୍ୟ ହୋଇଛି। ହାଇକୋର୍ଟ ପକ୍ଷରୁ ନିଯୁକ୍ତ ଆମିକସ କ୍ୟୁରୀ ଆଇନଜୀବୀ ଦେବାଶିଷ ପଣ୍ଡା, ସରକାରଙ୍କ ପକ୍ଷରୁ ଏଜିଏ ଜନ୍ମେଞ୍ଜୟ କଟକିଆ ମାମଲା ପରିଚାଳନା କରୁଛନ୍ତି। ୨୦୧୮ ଜୁନ୍ ୧୪ରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଗରୁଡବାସା ଗାଁର ଯାମିନୀକାନ୍ତ ମହାନ୍ତ ୮ ବର୍ଷର ନାବାଳିକାକୁ ସାଇକେଲ ଚଳାଇବା ଶିଖାଇବା ବାହାନାରେ ନିକଟସ୍ଥ ଜଙ୍ଗଲକୁ ଡାକି ନେଇଥିଲା। ଜଙ୍ଗଲରେ ସେ ନାବାଳିକା ସହିତ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା ବୋଲି ଅଭିଯୋଗ ହୋଇଥିଲା।

ଜଙ୍ଗଲ ଭିତରେ ସେ ପୀଡିତାର ଶବ ଫିଙ୍ଗି ଦେଇ ଆସିଥିଲା। ଗାଁ ଲୋକ ଖୋଜା ଖୋଜି କରି ପୀଡିତାର ଶବ ପାଇବା ପରେ ପୁଲିସକୁ ଖବର ଦେଇଥିଲେ। ୨୦୧୮, ଜୁନ୍ ୧୫ରେ ପୀଡିତଙ୍କ ଭାଇ ରୁପାଇ ମୁର୍ମୁ ଥାନାରେ ଏ ନେଇ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଯାମିନୀକାନ୍ତକୁ ଗିରଫ କରିଥିଲା। ଘଟଣାର ତଦନ୍ତ କରି ପୁଲିସ ଚାର୍ଜସିଟ ଦାଖଲ କରିବା ପରେ ମାମଲାର ଶୁଣାଣି ଅଦାଲତରେ ଆରମ୍ଭ ହୋଇଥିଲା। ଏହି ମାମଲାରେ ୨୭ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏଥି ସହିତ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଡାକ୍ତରୀ ରିପୋର୍ଟ ଓ ଫରେନସିକ୍ ରିପୋର୍ଟ ଅଦାଲତରେ ଦାଖଲ କରାଯାଇଥିଲା।

ବାରିପଦା ଚିଲ୍‌ଡ୍ରେନ୍ କୋର୍ଟ ବିଚାରପତି ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ରାୟ ପ୍ରକାଶ କରି ଏହା ଏକ ବିରଳ ମାମଲା ବୋଲି ଦର୍ଶାଇ ଅଭିଯୁକ୍ତ ଯାମିନୀକାନ୍ତ ମହାନ୍ତ(୨୫)କୁ ଦୋଷୀ ସାବ୍ୟସ୍ତ କରି ୨୦୧୯, ଅଗଷ୍ଟ ୨୮ରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଆଇପିସିର ଦଫା ୩୭୬(ଏବି), ୩୬୩, ୩୦୨ ସହିତ ପୋ‌କ୍‌ସୋ ଆଇନର ଧାରା ୬ ଓ ଏସ୍‌ଏସି ଆଣ୍ଡ୍ ଏସ୍‌ଟି ଆଇନର ଧାରା ୩ରେ ଯାମିନୀକାନ୍ତକୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରାଯାଇଥିଲା। ଏଥିସହିତ ପୀଡିତ ପରିବାରକୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ଅଦାଲତ ମୃତ୍ୟୁଦଣ୍ଡ ଅନୁମୋଦନ ସଂପର୍କିତ ମାମଲା(ଡିଏସଆରଇଏଫ୍) ହାଇକୋର୍ଟରେ ଦାୟର ହୋଇଛି।

Spread the love