ରାଜ୍ୟ ମତ୍ସ୍ୟ ଓ ପଶୁସମ୍ବଳ ବିକାଶ ବିଭାଗରେ ୧୧୫ ଜଣ ସହକାରୀ ମତ୍ସ୍ୟ ଅଧିକାରୀ ପାଇଲେ ନିଯୁକ୍ତି, ମୁଖ୍ୟମନ୍ତ୍ରୀ ଦେଲେ ଦିଗ୍‌ଦର୍ଶନ

ନବନିଯୁକ୍ତ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନ। ମତ୍ସ୍ୟ ଉତ୍ପାଦନରେ ଓଡ଼ିଶକୁ ଏକ ନମ୍ବର ରାଜ୍ୟ କରିବାକୁ ନବନିଯୁକ୍ତ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ଅପିଲ୍‌ କରିଛନ୍ତି। ରାଜ୍ୟ ମତ୍ସ୍ୟ ଓ ପଶୁସମ୍ବଳ ବିକାଶ ବିଭାଗରେ ୧୧୫ ଜଣ ସହକାରୀ ମତ୍ସ୍ୟ ଅଧିକାରୀ ନୂତନ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ନବନିଯୁକ୍ତ ଅଧିକାରୀମାନଙ୍କ ପାଇଁ ଲୋକସେବା ଭବନର କନଭେନ୍‌ସନ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗ୍‌ଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଭିଡିଓ କନଫରେନ୍‌ସିଂ ଜରିଆରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଅଧିକାରୀମାନେ ନିଜ ପଦର କାର୍ଯ୍ୟର ସୂଚାରୁରୂପେ ସମ୍ପାଦନ କରିବା ସହ ଲୋକଙ୍କୁ ଉତ୍ସାହିତ କରି ମତ୍ସ୍ୟଚାଷ ପ୍ରତି ଆକୃଷ୍ଟ କରିବା ଆବଶ୍ୟକ ବୋଲି କହିଛନ୍ତି ନବୀନ।

ବର୍ତ୍ତମାନ ଓଡ଼ିଶା ଦେଶରେ ମତ୍ସ୍ୟ ଉତ୍ପାଦନରେ ୪ର୍ଥ ସ୍ଥାନରେ ରହିଛି। ନବନିଯୁକ୍ତ ଅଧିକାରୀମାନେ ମିଶନ ମୋଡରେ କାର୍ଯ୍ୟ କରି ମତ୍ସ୍ୟ ଉତ୍ପାଦନରେ ଓଡ଼ିଶାକୁ ପ୍ରଥମ ସ୍ଥାନକୁ ନେବା ପାଇଁ କାର୍ଯ୍ୟ କରିବା ଦରକାର। 5T ଲାଗୁ ହେବା ପରେ ସରକାରୀ କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା ଆସିଛି। ଜ୍ଞାନକୌଶଳ ମାଧ୍ୟମରେ ଲୋକମାନଙ୍କ ପାଖରେ ଶୀଘ୍ର ପହଞ୍ଚାଇବାରେ ଏହା ସହାୟତା ହେବ। 5T ସିଦ୍ଧାନ୍ତକୁ ଅନୁସରଣ କରି ସଚ୍ଚୋଟତାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଅଧିକାରୀଙ୍କୁ ଅପିଲ କରିଛନ୍ତି। ଗତ ଆର୍ଥିକ ବର୍ଷରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ୧୦ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଏହି ଦୁଇ ଦଶନ୍ଧିରେ ରାଜ୍ୟରେ ସି ଫୁଡ ରପ୍ତାନୀ ୧୨ ଗୁଣ ବଢ଼ିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଦିଗଦର୍ଶନ କାର୍ଯ୍ୟକ୍ରମରେ କୃଷି ଓ ମତ୍ସ୍ୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବିଭାଗୀୟ ସଚିବ ସୁରେଶ ବଶିଷ୍ଟ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।.

Spread the love