ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅର୍ଥ ସବ୍‌ କମିଟି ବୈଠକ ଶେଷ

ପୁରୀ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅର୍ଥ ସବ୍‌ କମିଟି ବୈଠକ ଶେଷ। ଏହା ସହ ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ବିବରଣୀ ସମ୍ପର୍କରେ ମଧ୍ୟ ଆଲୋଚନା ହୋଉଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟରେ ୩ଶହ କୋଟି ୭୯ ଲକ୍ଷ ଟଙ୍କାର ଆୟ ରହିଥିବା ବେଳେ ୨୬୨କୋଟି ୪୯ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ୩୮ କୋଟି ୩୦ଲକ୍ଷ ଟଙ୍କାର ବଳକା ବଜେଟ ପ୍ରସ୍ତୁତ ହୋଇଛି। ରାଜ୍ଯ ସରକାରଙ୍କ ସୂତ୍ରରୁ ୧୧୮ କୋଟି ୯୪ ଲକ୍ଷ, କର୍ପସ ଫଣ୍ଡ ସୁଧରୁ ୬୦ କୋଟି ୩୨ ଲକ୍ଷ ମିଳିବ।

ସେହିପରି ବ୍ୟୟ ଅଟକଳ ମଧ୍ୟରେ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୬କୋଟି ୬୨ଲକ୍ଷ କର୍ପସ ଫଣ୍ଡ ଜମା ବାବଦରେ ୫୯ କୋଟି ୪୬ ଲକ୍ଷ, ପାଳିଆ ସେବାୟତଙ୍କୁ ପୁରସ୍କାର ବାବଦରେ ୧୮ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି। ଗତ ୨୦୨୨-୨୩ ବର୍ଷ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ୨୪୮ କୋଟି ୫୧ ଲକ୍ଷ ଟଙ୍କାର ବଜେଟ ପାରିତ ହୋଇଥିଲା। ବଜେଟରେ ବିଭିନ୍ନ ଯାନିଯାତ୍ରା, ପାଳିଆ ସେବକ ପାଉଣା, କର୍ମଚାରୀଙ୍କ ଦରମା, କର୍ପସ ଫଣ୍ଡ ଜମା ଆଦି ବିଭିନ୍ନ ସଂକ୍ରାନ୍ତରେ ଖର୍ଚ୍ଚ ନେଇ ଆଲୋଚନା ହୋଇଛି।

ଏହାସହ ହୁଣ୍ଡିରୁ ଆମଦାନୀ, ବିଭିନ୍ନ କର୍ପସ ଫଣ୍ଡର ସୁଧ, ସରକାରୀ ଅନୁଦାନ, ଜମି ଅଧିଗ୍ରହଣ ସହାୟତା ରାଶି ଦିଗରୁ ଆୟ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ସମର୍ଥ ବର୍ମା, ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ଅର୍ଥ ସବ କମିଟିର ସଦସ୍ୟ ଯୋଗଦେଇଥିଲେ। ଆଗାମୀ ପରିଚାଳନା କମିଟି ବୈଠକରେ ଏହି ବଜେଟ ଅନୁମୋଦିତ କରାଯିବ।.

Spread the love