ଆନ୍ଧ୍ରରେ ତୈଳ ଓ ଗ୍ୟାସ ପ୍ରକଳ୍ପରେ ହେବ ବିପୁଳ ପୁଞ୍ଜିନିବେଶ – ଧର୍ମେନ୍ଦ୍ର

ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଆନ୍ଧ୍ରପ୍ରଦେଶରେ ଆଗାମୀ ୫ ବର୍ଷରେ ଏହି ସବୁ ପ୍ରକଳ୍ପରେ ବିପୁଳ ପୁଞ୍ଜିନିବେଶ କରିବାର ଯୋଜନା ରଖିଛି ବୋଲି ଶୁକ୍ରବାର ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନମୋହନ ରେଡ୍ଡିଙ୍କୁ ଭେଟି ସେଠାରେ ନିଆଯାଇଥିବା ବିଭିନ୍ନ ତୈଳ, ଗ୍ୟାସ ଓ ଇସ୍ପାତ୍ ପ୍ରକଳ୍ପର ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ଦ୍ୱାରା ରାଜ୍ୟର ରାଜସ୍ୱ ବୃଦ୍ଧି ହେବା ସହ ଯୁବକଙ୍କ ପାଇଁ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅବସରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏହି ସବୁ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମର୍ଥନ ଓ ସହଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ସବୁ ତୈଳ ଓ ଗ୍ୟାସ୍ ପ୍ରକଳ୍ପକୁ ନିର୍ଧାରତ ସମୟ ସୁଦ୍ଧା ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ଏକ ଅଟନୋମସ୍ ପେଟ୍ରୋଲିୟମ ଇନ୍ଷ୍ଟିଚ୍ୟୁସନ୍ ସ୍ଥାପନା କରାଯିବ । ଯାହା ଦେଶର ତୈଳ ଏବ ଗ୍ୟାସ କ୍ଷେତ୍ରରେ କୁଶଳ କ୍ଷମତା ବିଶିଷ୍ଟ କାର୍ଯ୍ୟବଳ ତିଆରି କରିବାରେ ସହଯୋଗ କରିବ । ଏହି ଗସ୍ତ ଅବସରରେ ଶ୍ରୀ ପ୍ରଧାନ ସେଠାକାର ରାଜ୍ୟପାଳ ତଥା ଓଡିଶାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ମଧ୍ୟ ତାଙ୍କ ବାସଭବନରେ ଭେଟିଥିଲେ । ରାଜ୍ୟପାଳଙ୍କ ସହ ଏଠାରେ ନିଆଯାଇଥିବା ବିଭିନ୍ନ ତୈଳ ଓ ଗ୍ୟାସ ପ୍ରକଳ୍ପ ଉପରେ ସୂଚିତ କରିଥିଲେ ଶ୍ରୀ ପ୍ରଧାନ । ବିଶେଷ ଭାବରେ କ୍ରୀଷ୍ଣା-ଗୋଦାବରୀ ବେସିନ, ଯାହା ଭବିଷ୍ୟତରେ ଭାରତର ଗ୍ୟାସ ଚାହିଦାକୁ ପୂରଣ କରିବାର ବଡ କ୍ଷମତା ରଖିଛି ଏ
ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ ।

Spread the love