ବାତ୍ୟା ଓ ବର୍ଷାର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଶନିବାର ସକାଳୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସ୍ଥାନୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ପହଞ୍ଚି ପାଣିପାଗ କେନ୍ଦ୍ରର ମହା ନିର୍ଦେଶକଙ୍କ ସହ ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ର ସ୍ଥିତି ଓ ସେଥିଯୋଗୁଁ ହେଉଥିବା ବୃଷ୍ଟିପାତ ବିଷୟରେ ସମୀକ୍ଷା କରିଛନ୍ତି।

ଗଣମାଧ୍ୟମକୁ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ବାତ୍ୟା ଯୋଗୁଁ କେହି ମୃତାହତ ହୋଇଥିବାର ଖବର ଏଯାଏଁ ଆସିନାହିଁ। କାହାରି ଘର ମଧ୍ୟ ଭାଙ୍ଗିଥିବା ଖବର ମିଳିନାହିଁ। ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ କେତେକ ଗଛ ଭାଙ୍ଗିଥିବା ଜଣାପଡ଼ିଛି। ପରିସ୍ଥିତି ଉପରେ ପ୍ରଶାସନ ଦୃଷ୍ଟି ରଖିଥିବା କଥା ସେ କହିଛନ୍ତି। ଶନିବାର ସକାଳ ଆଠଟା ସୁଦ୍ଧା ବାତ୍ୟା ବୁଲ୍‌ବୁଲ୍‌ ପାରାଦୀପ ଠାରୁ ବଙ୍ଗୋପସାଗରର ୧୨୦ କିଲୋମିଟର୍‌ ଭିତରକୁ ରହିଛି ଓ ପ୍ରଭାବରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଅତି ପ୍ରବଳ ନ ହେଲେ ମଧ୍ୟ ନିରବଚ୍ଛିନ୍ନ ବର୍ଷା ବର୍ଷି ଚାଲିବା ସହ ପବନ ତୋଡ଼ରେ ଗଛବୃଚ୍ଛର ଡାଳ ଭାଙ୍ଗିପଡୁଛି ଏବଂ ସ୍ଥାନେ ସ୍ଥାନେ କେତେକ ଗଛ ମଧ୍ୟ ଉପୁଡ଼ି ପଡୁଛି। ସକାଳ ପାରାଦୀପ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବିଜୁଳି ଓ ଇଣ୍ଟର୍‌ନେଟ୍‌ ସେବା ବାଧାପ୍ରାପ୍ତ ହୋଇଛି। ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଅତି ପ୍ରବଳ ବର୍ଷା ହେଉଛି।

Spread the love