ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା: ୧୦ରେ ମତଦାନ, ୧୩ରେ ଭୋଟ ଗଣତି

ନୂଆଦିଲ୍ଲୀ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମେ’୧୦ରେ ନିର୍ବାଚନ ହେବାକୁ ଥିବା ବେଳେ ମେ’ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ମେ’ ୧୩ରେ କର୍ଣ୍ଣାଟକ ବିଧାନସଭାର ଫଳାଫଳ ମଧ୍ୟ ଘୋଷଣା ହେବ ।

ସୂଚନାଯୋଗ୍ୟ, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଖାଲି ହୋଇଛି ଝାରସୁଗୁଡ଼ା ବିଧାନସଭା ଆସନ। ଏହି ଆସନରେ ଉପନିର୍ବାଚନ ହେବାର ସମ୍ଭାବନା ରହିଥିଲା। ଏହି ଆସନଟି ଖାଲି ହେବା ନେଇ ବିଧାନସଭା ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ବିଧିବଦ୍ଧଭାବେ ଅବଗତ କରାଯିବା ପରେ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

୨୦୧୯ ସାଧାରଣ ନିର୍ବାଚନ ପରେ ଓଡ଼ିଶାର ଷୋଡ଼ଶ ବିଧାନସଭା ଗଠିତ ହୋଇଥିଲା। ଏହାର କାର୍ଯ୍ୟକାଳ ଶେଷ‌ ହେବାକୁ ବର୍ଷେରୁ ଅଧିକ ସମୟ ବାକି ଥିବାରୁ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଥିଲା। ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ୬ ମାସରୁ ଅଧିକ ଧରି କୌଣସି ବିଧାନସଭା ଆସନକୁ ଖାଲି ରଖାଯାଇ ପାରିବନାହିଁ।

Spread the love