ପଙ୍ଖାରେ ଝୁଲିପଡ଼ିଲେ ରମାଦେବୀ ଉଚ୍ଚ ମାଧ୍ୟମିକ ସ୍କୁଲର ଯୁକ୍ତ ୨ ଛାତ୍ରୀ

ଭୁବନେଶ୍ବର: ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ‌(ବିଜେବି)ର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ରାଜଧାନୀବାସୀ ଭୁଲି ନଥିବା ବେଳେ ପୁଲିସ ବୁଧବାର ଭୁବନେଶ୍ବରସ୍ଥିତ ଅନ୍ୟ ଏକ ଲୋକପ୍ରିୟ ଶିକ୍ଷାନୁଷ୍ଠାନରୁ ଯୁକ୍ତ ୨ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି। ସହିଦ ନଗର ପୁଲିସ ଆଜି ଅପରାହ୍‌ଣରେ ରମାଦେବୀ ଉଚ୍ଚ ମାଧ୍ୟମିକ ସ୍କୁଲର ଦ୍ବିତୀୟ ବର୍ଷ କଳା ଛାତ୍ରୀଙ୍କ ମୃତଦେହ ହଷ୍ଟେଲ କୋଠରୀ ଭିତରୁ ଠାବ କରିଛି। ମୃତକର ନାମ ପ୍ରଜ୍ଞା ମହାନ୍ତି ବୋଲି ଜଣାପଡ଼ିଛି।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ରାଜ୍ୟର ଯୁକ୍ତ ୨ ପିଲାମାନଙ୍କର ପରୀକ୍ଷା ଚାଲିଛି। ଆସନ୍ତା ଏପ୍ରିଲ ୫ ତାରିଖରେ ପରୀକ୍ଷା ଶେଷ ହେବ। ତେବେ ପରୀକ୍ଷା ଚାଲିଥିବା ବେଳେ ରାୟଗଡ଼ାରୁ ଆସି ରମାଦେବୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ ୨ ଦ୍ବିତୀୟ କଳା ବିଷୟରେ ପଢୁଥିବା ଛାତ୍ରୀ ପ୍ରଜ୍ଞା ମହାନ୍ତି ଆତ୍ମହତ୍ୟା କରିଛନ୍ତି। ପ୍ରଜ୍ଞା ହଷ୍ଟେଲରେ ରହୁଥିଲେ। ଆଜି ପରୀକ୍ଷା ନଥିବାରୁ ସେ ଏକୁଟିଆ ରୁମରେ ଥିଲେ। ନିଜ ଓଢଣୀରେ ପଙ୍ଖାରେ ଝୁଲିପଡ଼ିଥିଲେ। ଖବର ପାଇ ସହିଦନଗର ଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଆତ୍ମହତ୍ୟାର କାରଣ ସଂପର୍କରେ ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ, ଗତବର୍ଷ ଜୁଲାଇ ମାସ ୨ ତାରିଖରେ ‘ବିଜେବି’ର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ମହାନ୍ତି କାରୁବାକୀ ଛାତ୍ରୀନିବାସରେ ଆତ୍ମହତ୍ୟା କରିଥିଲେ। କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ରୁଚିକା ବେକରେ ରଶି ବାନ୍ଧି ସେ ଆତ୍ମହତ୍ୟା କରିଥିଲେ। ୩ ସିନିୟର୍‌ ଛାତ୍ରୀଙ୍କ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ ବୋଲି ରୁଚିକାଙ୍କ ପକେଟ୍‌ରୁ ପୁଲିସ ପାଇଥିବା ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ଥିଲା। ତେବେ ରୁଚିକା କେଉଁ ୩ ଜଣ ସିନିୟର ଛାତ୍ରୀଙ୍କ ଯୋଗୁଁ ଆତ୍ମହତ୍ୟା କରିଥିଲେ, ତାହା ଏପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି।

Spread the love