ଓଡିଶା ଲୋକ ଚିଟ୍ ଫଣ୍ଡ୍ ପଇସା କେବେ ଫେରି ପାଇବେ ? ବିଜୁ ଜନତା ଦଳ ସ୍ପଷ୍ଟ କରୁ: ଅନିଲ ବିଶ୍ୱାଳ

ଭୁବନେଶ୍ୱର, ତା.୩୧/୦୩: ଆଜି ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବିଧାୟକ ସୌଭିକ ବିଶ୍ୱାଳ ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି ତାହା ତାଙ୍କର ରାଜନୈତିକ ଅପରିପକ୍ୱତାକୁ ଦର୍ଶାଉଛି । ସେ ଯେଉଁ ଭୁବନେଶ୍ୱର ରେଳ ଷ୍ଟେସନ ନିର୍ମାଣ କଥା ଉଠାଇଛନ୍ତି ସେ ବୋଧହୁଏ ଜାଣିନାହାନ୍ତି ଯେ ସେପ୍ଟେମ୍ବର ୧୯, ୨୦୧୯ ଦିନ ନିଜେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନର ନବିକରଣ କରିବା ପାଇଁ ଦାୟୀତ୍ୱ ନେଇଥିଲେ ଓ ବିଡିଏ ସହିତ ରେଳ ମନ୍ତ୍ରଣାଳୟର ଚୁକ୍ତି ସ୍ୱାକ୍ଷର ହୋଇଥିଲା । ରେଳ ବିଭାଗର ଆର୍ଥୀକ ସହାୟତାରେ ରାଜ୍ୟ ସରକାର ଏହାକୁ କରିବା କଥା ଥିଲା । କିନ୍ତୁ ନା ବିଡିଏ ତରଫରୁ ସେହି କାମ ଆରମ୍ଭ କରାଗଲା ନା ମୁଖ୍ୟମନ୍ତ୍ରୀ ତାଙ୍କର ପ୍ରତିଶୃତି ରକ୍ଷା କଲେ । ୩ ବର୍ଷ ପରେବି କୌଣସି କାମ ଆଗେଇ ନପାରିବା ଫଳରେ ରେଳ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସହିତ ହୋଇଥିବା ଚୁକ୍ତିକୁ ବାତିଲ କରି ୨୯ ଡିସେମ୍ବର, ୨୦୨୨ରେ ଏହି କାମର ଶୁଭାରମ୍ଭ କରାଗଲା । ୨୦୩୦ ନୁହେଁ, ସୌଭିକ ବାବୁ ଓ ବିଜୁ ଜନତା ଦଳ ବ୍ୟସ୍ତ ନହୋଇ ଧ୍ୟର୍ଯ୍ୟର ସହିତ ଅପେକ୍ଷା କରନ୍ତୁ ମାତ୍ର ୨ ବର୍ଷ ଭିତରେ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ରେଳ ଷ୍ଟେସନ ଠିଆ ହେବ ବୋଲି ବିଜେପିର ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ଓଡିଶା ଲୋକଙ୍କ ଟିକସ ଅର୍ଥ କଥା ଉଠାଉଥିବା ବିଜୁ ଜନତା ଦଳ ସ୍ପଷ୍ଟ କରୁ ଯେ ତାଙ୍କ ଦଳର ନେତାମାନେ ଚିଟଫଣ୍ଡ କମ୍ପାନୀ ମାଧ୍ୟମରେ ଲୁଟିଥିବା ଓଡିଶାର ସାଧାରଣ ଗରିବ ଖଟିଖିଆ ଲୋକଙ୍କ ଝାଳବୁହା ଧନକୁ କେବେ ଫେରାଇବେ ? ନିଜେ ସୌଭିକ ବିଶ୍ୱାଳଙ୍କ ବାପା ପ୍ରଭାତ ବିଶ୍ୱାଳ ଚିଟଫଣ୍ଡ ଠକାଇରେ ଗିରଫ ହୋଇ ଜେଲରେ ଥିଲେ, ଏବେ ବୋଧହୁଏ ବେଲରେ ଥିବେ । ମୁଖ୍ୟମନ୍ତ୍ରୀ ୨୦୧୪ ନିର୍ବାଚନକୁ ଆଖି ଆଗରେ ରଖି ୨୦୧୩ରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ପଇସା ଫେରାଇବେ ବୋଲି କହି ୩୦୦ କୋଟିର ଏକ କର୍ପସ ଫଣ୍ଡର ଘୋଷଣା କରିଥିଲେ । ୧୦ ବର୍ଷ ବିତିଗଲାଣି, କୁଆଡେ ଗଲା ସେହି କର୍ପସ ଫଣ୍ଡ ? ନିଜେ ସୌଭିକ ବାବୁ ବିଧାୟକ ଭାବରେ ଦାୟିତ୍ୱ ନେଇ ଓଡିଶାର ଲୋକଙ୍କୁ ଚିଟଫଣ୍ଡ କମ୍ପାନୀମାନଙ୍କ ଦ୍ୱାରା ଲୁଟ କରାଯାଇଥିବା ଅର୍ଥକୁ ଫେରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରନ୍ତୁ ବୋଲି ଅନିଲ ବିଶ୍ୱାଳ କହିଛନ୍ତି ।
ଅନିଲ ବିଶ୍ୱାଳ କହିଛନ୍ତି ଯେ, କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଆସିବା ପରଠାରୁ ଓଡିଶାକୁ ରେକର୍ଡ ପରିମାଣର ରେଳ ଅନୁଦାନ ମିଳୁଛି । ୟୁପିଏ ସରକାର ସମୟରେ ଓଡିଶାରେ ବର୍ଷକୁ ହାରାହାରି ୫୩ କିିମିର ରେଳପଥ ନିର୍ମାଣ ହେଉଥିଲା । ବର୍ତମାନର ନରେନ୍ଦ୍ର ମୋଦିଙ୍କ ସରକାର ସମୟରେ ଓଡିଶାରେ ବର୍ଷକୁ ୧୪୨ କିମିର ରେଳପଥ ନିର୍ମାଣ ହେଉଛି । ଓଡିଶାରେ ୩୬ଟି ଷ୍ଟେସନର ଉନ୍ନ୍‌ତି କରଣ କାମ ହୋଇଛି । ୟୁପିଏ ସରକାର ସମୟରେ ଓଡିଶାକୁ ବର୍ଷକୁ ହାରାହାରି ରେଳ ଅନୁଦାନ ମାତ୍ର ୮୦୦ କୋଟି ଟଙ୍କା ମିଳୁଥିଲା । ଚଳିତ ରେଳ ବଜେଟରେ ଓଡିଶାକୁ ୧୦ ହଜାର ୧୨ କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଓଡିଶା ଲୋକଙ୍କ ପ୍ରତି ନରେନ୍ଦ୍ର ମୋଦିଙ୍କ ଭଲପାଇବା ଓ ଓଡିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ନେଇ ବିଜୁ ଜନତା ଦଳ ହତୋସ୍ତ୍ରାହିତ ହେବା ସ୍ୱାଭାବିକ ବୋଲି ଅନିଲ ବିଶ୍ୱାଳ କହିଛନ୍ତି ।

Spread the love