ମୁଖ୍ୟମନ୍ତ୍ରୀଙ୍କୁ ପଚାରିଲେ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗରେ ସେ ଭଲ ଭାବରେ ବୁଝାଇ ପାରିବେ : କସ୍ତୁରୀ ମିଶ୍ର

ଭୁବନେଶ୍ୱର: ଶାସନ ଓ କ୍ଷମତାର ମୋହରେ ବୁଡି ରହିଥିବା ଶାସକ ବିଜେଡିର ନେତା ଓ ମନ୍ତ୍ରୀମାନେ ରାଜ୍ୟରେ ସୃଷ୍ଟି ହୋଇଥିବା ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ସ୍ୱୀକାର କରିବା ପାଇଁ ଲଜ୍ଜା ଅନୁଭବ କରୁଛନ୍ତି । ସମଗ୍ର ରାଜ୍ୟବାସୀ ଆଜି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଭୟରେ ତ୍ରାହି ତ୍ରାହି ଡାକୁଥିବାବେଳେ ବିଜେଡିର ନେତା ଓ ମନ୍ତ୍ରୀମାନେ ଅନୁଭବ କରିନପାରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ତାହେଲେ ଆଇନଶୃଙ୍ଖଳା ପରିସ୍ଥିତି କେତେ ବିପର୍ଯ୍ୟସ୍ତ ହେଲେ ବିଜେଡିର ନେତାନେତ୍ରୀ ଅନୁଭବ କରିବେ ? ଶାସକ ବିଜେଡିର ନବନିର୍ବାଚିତ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଅନ୍ୟକୁ ଆକ୍ଷେପ କରିବା ପୂର୍ବରୁ ଏହି ପ୍ରଶ୍ନର ଜବାବ୍ ରଖିବାକୁ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ କସ୍ତୁରୀ ମିଶ୍ର କହିଛନ୍ତି ।

ମହିଳା ଅପରାଧିକରଣ, ଶିଶୁ ଅପହରଣରେ ଓଡିଶାର ସ୍ଥିତି ଅତ୍ୟନ୍ତ ଭୟାନକ । ପ୍ରତି ବର୍ଷ ଏହି ସଂଖ୍ୟା କ୍ରମାଗତ ବୃଦ୍ଧି ପାଇଚାଲିଛି । ବିଜେଡି ସରକାର ଏହା ଉପରେ ଅଂକୁଶ ଲଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଏପରିକି ମାନ୍ୟବର ନ୍ୟାୟାଳୟଙ୍କ ନିଦେ୍ର୍ଦଶ ସତ୍ୱେ ପୋଲିସ ଅଭିଯୁକ୍ତଙ୍କ ପ୍ରତି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଅପରାଧୀମାନଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ନେତାମାନେ ସିଧାସଳଖ ସୁରକ୍ଷା ଯୋଗାଇ ଦେଉଛନ୍ତି । ଦୁଷ୍କର୍ମ ଓ ଉତ୍ପୀଡନ ମାମଲାରେ ତିର୍ତୋଲ ବିଧାୟକ ବିଜୟ ଶଂକର ଦାସ, ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର, ପରୀ ହତ୍ୟାକାଣ୍ଡରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତୁ୍ୟ ପ୍ରସଙ୍ଗରେ ମନ୍ତ୍ରୀ ସମୀର ଦାଶଙ୍କ ସଂପୃକ୍ତିକୁ ନେଇ ଶ୍ରୀମତୀ ବରିହା ପ୍ରଶ୍ନ କରିବା ଉଚିତ୍ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ରାଜ୍ୟ ପୋଲିସର ତଦନ୍ତ ହାର ଅତ୍ୟନ୍ତ ନଗଣ୍ୟ । ବର୍ତମାନ ରାଜ୍ୟରେ ୬.୯୫ ଲକ୍ଷ ମାମଲା ବିଚାରଧିନ ରହିଛି । କ୍ରାଇମବ୍ରାଂଚ ତଦନ୍ତ ପରିସରଭୁକ୍ତ ୨୨୫ଟି ମାମଲାରୁ ମାତ୍ର ୧୦ଟିରେ ଦଣ୍ଡବିଧାନ କରାଯାଇଛି । ଏହା କଣ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ସୁଚାଉ ନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।
ବିଧାୟିକା ଭାବେ ଶ୍ରୀମତୀ ବରିହା ଗୃହ ବିଭାଗ ଦାୟୀତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ପଚାରିଲେ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗରେ ସେ ଭଲ ଭାବରେ ବୁଝାଇ ପାରିବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

Spread the love