ନୂତନ ଓଡିଶା ଗଠନରେ ସାମିଲ ହେବା ପାଇଁ ସଂକଳ୍ପ ନିଅନ୍ତୁ ରାଜ୍ୟବାସୀ: ମନମୋହନ ସାମଲ

ଭୁବନେଶ୍ୱର,ତା.୦୧/୦୪: ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ଓଡିଶା ରାଜ୍ୟକୁ ମାନ୍ୟତା ମିଳିଥିଲା । ଭାଷାର ବ୍ୟବହାର ବିନା ରାଜ୍ୟର ବିକାଶ ଅସମ୍ଭବ । ଭାଷା ଦ୍ୱାରା ହିଁ ଗୋଟିଏ ଜାତିର ଇତିହାସ, ସଂସ୍କୃତି ଓ ଏ୍ୟୌତିହ୍ୟ ସଂର୍ପକରେ ଜଣାପଡେ । ଓଡିଆ ଜାତିର ସ୍ୱତନ୍ତ୍ର ପରିଚୟ ରହିଛି । ଆଜି ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ଓଡିଆମାନେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଆମ ସମସ୍ତଙ୍କୁ ଗୈାରବାନ୍ୱିତ କରୁଛନ୍ତି । ଆଜି ୮୭ତମ ଉତ୍କଳ ଦିବସ ପାଳନ ଅବସରରେ ଓଡିଆ ଭାଷା, ସଂସ୍କୃତି ଏବଂ ପରଂପରାକୁ ବଜାୟ ରଖିବା ସଙ୍ଗେସଙ୍ଗେ ଯୁବପିଢୀଙ୍କୁ ନୂତନ ଓଡିଶା ଗଠନରେ ସାମିଲ ହେବା ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆହ୍ୱାନ ଦେଇଛନ୍ତି ।
ରାଜ୍ୟରେ ଦିନକୁ ଦିନ ଓଡିଆ ଭାଷା ପ୍ରତି ସମ୍ମାନ ଏବଂ ଆନ୍ତରିକତା କମିବା, ରାଜ୍ୟକୁ ଏକ ବିପଦପୂର୍ଣ୍ଣ ଭବିଷ୍ୟତ ଆଡକୁ ନେଇ ଯାଉଛି । ଓଡିଆ ଭାଷାକୁ ରାଜ୍ୟସରକାର ଯଥେଷ୍ଟ ସମ୍ମାନ ଦେଉନଥିବା କାରଣରୁ ଓଡିଆ ଭାଷା ଓ ସଂସ୍କୃତି ଆଜି ସଂକଟରେ । ରାଜ୍ୟ ସରକାରଙ୍କ ଅପାରଗତା ଓ ନେତୃତ୍ୱ ଅଭାବ କାରଣରୁ ଓଡିଶାର ସୀମା ଆଜି ଅସୁରକ୍ଷିତ । ଆଜିର ଦିନରେ ଯୁବପିଢୀମାନେ ଓଡିଆର ଭାଷା ସାହିତ୍ୟ, ସଂସ୍କୃତି ଓ ମହାପୁରୁଷମାନଙ୍କର ବୀରତ୍ୱର ଗାଥା ମନେପେକାଇବା ସହ ଓଡିଆ ଭାଷାକୁ ଅଗ୍ରଣୀ ଭାଷାଭାବେ ପରିଗଣିତ କରିବା ପାଇଁ ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଉତ୍କଳ ଦିବସ ପାଳନ ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ପ୍ରମୁଖ ମହାପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଓଡିଆ ଭାଷାର ସୁରକ୍ଷା ସହ ସ୍ୱତନ୍ତ୍ର ଓଡିଶା ଗଠନରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ, ବାମଣ୍ଡା ରାଜା ସୁଢଲ ଦେବ ପ୍ରମୁଖ ଓଡିଶାର ବରପୁତ୍ରମାନଙ୍କ ଯଶକୁ ଏହି ଅବସରରେ ସ୍ମରଣ କରାଯାଇଥିଲା । ଖଣ୍ଡବିଖଣ୍ଡିତ ରାଜ୍ୟକୁ ଏକତ୍ରିତ କରିଥିବା ଉଦ୍ଦେଶ୍ୟରେ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ବଂଚାଇ ରଖିବା ପାଇଁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, କବି ସମ୍ରାଟ ଉପେନ୍ଦ୍ର ଭଂଜ, ବଳରାମ ଦାସ, ଜଗନ୍ନାଥ ଦାସ, ପୁରୁଷୋତମ ଦେବ, ଶାରଳା ଦାସ, ସନ୍ଥ କବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେର, ବ୍ୟାସ କବି ଫକୀର ମୋହନ ସେନାପତି, ପଣ୍ଡିତ ନୀଳକଣ୍ଠ ଦାସ, ଗୋଦାବରିଶ ମିଶ୍ର, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ରାଧାନାଥ ରାୟ, ଗୈାରୀଶଙ୍କର ରାୟ, କବିସୂର୍ଯ୍ୟ ବଳଭଦ୍ର ରଥଙ୍କ ସମେତ ଅନେକ କବି ଓ ଲେଖକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେମାନଙ୍କ ଭୁମିକା ଇତିହାସରେ ଲିପିବଦ୍ଧ ହୋଇ ଚିର କାଳ ପାଇଁ ରହିଯାଇଛି ବୋଲି ଏହି ଅବସରରେ ବକ୍ତାମାନେ ଯୋଗ ଦେଇ କହିଛନ୍ତି । ଉତ୍କଳ ସମ୍ମିଳନୀର ପ୍ରତିନିଧି ଡ.ରାଧାନାଥ ପ୍ରହରାଜ ଉପସ୍ଥିତ ରହି ଓଡିଶା ଏବଂ ଓଡିଆ ଭାଷାର ମହତ୍ୱ ସଂପର୍କରେ ମତ ରଖିଥିଲେ ।
ଆଜି ସକାଳେ ରାଜ୍ୟ ସଭାପତି ଶ୍ରୀ ସାମଲ ରାଜଭବନ ଛକଠାରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଛକଠାରେ ଗୋପବନ୍ଧୁ ଦାସ, ଏଜି ଛକ ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପାୱାର ହାଉସ ଛକ ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ, କଳିଙ୍ଗ ହସ୍ପିଟାଲ ଛକସ୍ଥିତ ପ୍ରକୃତି କବି ଗଙ୍ଗାଧର ମେହେର ଓ ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।
ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ବୁଧାନ ମୁର୍ମୁ, ପ୍ରକାଶ ସୋରେନ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ରାଜେନ୍ଦ୍ର ପଣ୍ଡା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରଶ୍ମୀରଂଜନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love