କ୍ରିକେଟ୍ ମ୍ୟାଚରେ ହତ୍ୟା ଘଟଣାରେ ଆଉ ୩ ଗିରଫ

କ୍ରିକେଟ୍ ମ୍ୟାଚରେ ହତ୍ୟା ଘଟଣାରେ ଆଉ ୩ ଗିରଫ । ଚୌଦ୍ୱାର ବରହମପୁର ଗାଁରୁ ଗିରଫ କଲା ପୋଲିସ । ଗତକାଲି ମ୍ୟାଚ୍ ବେଳେ ରଣକ୍ଷେତ୍ର ପାଲଟିଥିଲା କ୍ରିକେଟ୍ ପଡ଼ିଆ ।  ଯୁବକଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ସଂଗ୍ରାମଙ୍କୁ ଗିରଫ କରାଯାଇଥିଲା । ମହିଷାଲଣ୍ତା ଗ୍ରାମ ମହାବଳୀ କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ଆୟୋଜିତ ହେଉଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଶଙ୍କରପୁର ଓ ଡାଳିଯୋଡ଼ା ବ୍ରହ୍ମପୁର ମଧ୍ୟରେ ସେମି-ଫାଇନାଲ୍‌ ମ୍ୟାଚ୍ ଅନୁଷ୍ଠିତ ହେଉଥିଲା । ଶଙ୍କରପୁର ଟିମ୍ ପ୍ରଥମେ ବ୍ୟାଟିଂ କରିଥିଲା। ଜବାବରେ ଡାଳିଯୋଡ଼ା ବ୍ରହ୍ମପୁର ଟିମ୍‌ ପଡ଼ିଆକୁ ଓହ୍ଲାଇଥିବା ବେଳେ ପ୍ରଥମ ବଲ୍‌ରେ ଜଣେ ଖେଳାଳି ଆଉଟ୍ ହୋଇଯାଇଥିଲେ। ଅମ୍ପାୟାର୍‌ ପ୍ରୀତିରଂଜନ ସାମଲ ‘ଆଉଟ୍ ସିଗ୍‌ନାଲ୍‌ ଦେଇଥିବା ବେଳେ ତାକୁ ଡାଳିଯୋଡ଼ା ବ୍ରହ୍ମପୁର ଖେଳାଳିମାନେ ମାନି ନଥିଲେ ।

ଡାଳିଯୋଡ଼ା ବ୍ରହ୍ମପୁର ଗ୍ରାମର ଜଗା ରାଉତ ନାମକ ଜଣେ ଖେଳାଳି ପଡ଼ିଆ ମଧ୍ୟକୁ ପ୍ରବେଶ କରି ଗାଳିଗୁଲଜ କରିଥିବା ବେଳେ ବାଦଲ କୈବୁତୁଲ୍‌ ନାମକ ଅନ୍ୟ ଜଣେ ଖେଳାଳି ଅମ୍ପାୟାର୍‌ଙ୍କୁ ଆକ୍ରମଣ କରିଥିଲେ । ମ୍ୟାଚ୍‌ ଆୟୋଜନ କମିଟିର ଜଣେ ଯୁବକ ମହିଷାଲଣ୍ତା ଗ୍ରାମର ଲକି ରାଉତ ପଡ଼ିଆ ମଧ୍ୟକୁ ଆସି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ହେଲେ, ଜଗା ଓ ବାଦଲ ତାଙ୍କୁ ନଶୁଣି ଅମ୍ପାୟାର୍‌ଙ୍କ ଉପରେ ଆକ୍ରମଣ ଜାରି ରଖିବା ସହ ବାଦଲ ଫୋନ୍ ଯୋଗେ ଅନ୍ୟମାନଙ୍କୁ ଘଟଣାସ୍ଥଳରେ ପହଂଚିବା ପାଇଁ ଡାକିଥିଲେ ।

ତାଙ୍କ ଫୋନ୍‌ କଲ୍‌ ପାଇ ମୁଗୁନି ରାଉତ ଓ ସ୍ମୃତିରଂଜନ ରାଉତ ଏକ ପଲସର୍‌ ବାଇକ୍‌ରେ ପଡ଼ିଆ ମଧ୍ୟକୁ ପ୍ରବେଶ କରି ସାଙ୍ଗରେ ଆଣିଥିବା ଛୁରି ଓ ବ୍ୟାଟ୍ ସାହାଯ୍ୟରେ ଲକି ରାଉତଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଲକି ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ । ଗ୍ରାମବାସୀମାନେ ଲକିଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ କଟକ ବଡ଼ଡାକ୍ତରଖାନାକୁ ପଠାଇବା ସହ ଆକ୍ରମଣ କରିଥିବା ୩ ଯୁବକଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ନେଇଥିଲେ । ଅନ୍ୟ ଦୁଇ ଆକ୍ରମଣକାରୀ ସେଠାରୁ ଖସି ପଳାଇଥିଲେ ।

Spread the love