୧୯% ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ

ଭୁବନେଶ୍ବର : ରାଜ୍ୟର ୧୯% ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ସେହିଭଳି ୮୧.୦୪% କେନ୍ଦ୍ରରେ ଶୌଚାଳୟ ଏବଂ ୭୧.୪୭% କେନ୍ଦ୍ରରେ ସୁରକ୍ଷିତ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ଆତ୍ମଶକ୍ତି ଟ୍ରଷ୍ଟ ଏବଂ ଏହାର ସହଯୋଗୀ ସଂଗଠନ ଓଡ଼ିଶା ଶ୍ରମଜୀବୀ ଏବଂ ମହିଳା ଶ୍ରମଜୀବୀ ମଞ୍ଚ ପକ୍ଷରୁ କରାଯାଇଥିବା ନମୁନା ଅଧ୍ୟୟନରୁ ଏହା ଜଣାପଡ଼ିଛି। ରାଜ୍ୟର ୧୫ଟି ଜିଲ୍ଲାର ୮୯ ବ୍ଲକର ୮୬୬ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୯୮୫୬ଟି ଗାଁରେ ଥିବା ସମୁଦାୟ ୭୬୯୪ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇ ଏହି ଅଧ୍ୟୟନ କରାଯାଇଛି। ଶିଶୁ ପୃଷ୍ଟିହୀନତାର ସର୍ବାଧିକ ଶିକାର ହୋଇଥିବା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା ପାଇଁ ସାମାଜିକ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ନମୁନା ସର୍ଭେ ଅନୁସାରେ, ୭୯୬୪ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୧୨.୭୪% (୧୦୪୫) କେନ୍ଦ୍ରର ନିଜସ୍ୱ ଗୃହ ନାହିଁ। ସେଠାରେ ଭଡ଼ା ଘରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲିଛି। ୨୬.୯୭% (୨୧୪୮) କେନ୍ଦ୍ରରେ ବିଶୁଦ୍ଧ ପାନୀୟ ଜଳର ଉତ୍ସ ନାହିଁ ଏବଂ ୫୭.୬୨% (୩୩୫୧) କେନ୍ଦ୍ରରେ ପାନୀୟ ଜଳ ଥିବା ସତ୍ତ୍ବେ ତାହା ଅଚଳ ହୋଇ ପଡ଼ିଛି। ୩୧.୧୯% (୨୪୮୪) ଅଙ୍ଗନବାଡ଼ି କେନ୍ଦ୍ରରେ ସ୍ୱତନ୍ତ୍ର ନିଜସ୍ୱ ରୋଷେଇ ଗୃହ ନାହିଁ। ଆଦିବାସୀ ପ୍ରଭାବିତ ଜିଲ୍ଲା ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ କନ୍ଧମାଳ ଜିଲ୍ଲାରେ ୯.୭୩ % ଅଞ୍ଚଳରେ ରାସନ ପ୍ରଦାନରେ ଅନିୟମିତତା ଦେଖାଯାଉଛି। ରାୟଗଡ଼ାର ୨୧.୪୫% ଗାଁରେ ଘରକୁ ଦିଆଯାଉଥିବା ରାସନରେ ଅନିୟମିତତା ଥିବା ଅଧ୍ୟୟନରୁ ଜଣାପଡ଼ିଛି। ରାଜ୍ୟ ସରକାର ତୁରନ୍ତ ମିନି ଅଙ୍ଗନବାଡ଼ି କିମ୍ବା ମୁଖ୍ୟ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ ସହିତ ଶୌଚାଳୟ, ପାଣି ସହିତ ସର୍ବନିମ୍ନ ସୁବିଧା ପ୍ରଦାନ ପାଇଁ ସଂଗଠନ ଦାବି କରିଛି।

Spread the love