କୋଟିଆ ପ୍ରସଙ୍ଗ : ବିଜେପି ବିଧାୟକ ପ୍ରଶ୍ନବାଣରେ ଘାଇଲା କଲେ ରାଜ୍ୟ ସରକାରଙ୍କୁ

କୋଟିଆ ପ୍ରସଙ୍ଗକୁ ନେଇ ତେଜୁଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତ ପରେ ବିଜେପିକୁ ଉଭୟ ବିଜେଡି ଓ କଂଗ୍ରେସ ଟାର୍ଗେଟ କରି ଆସୁଛନ୍ତି । ଯାହାର କାଉଣ୍ଟର ଜବାବ ରଖିଛି ବିଜେପି । ବିଜେପିର ବିଧାୟକ ମାନେ ସିରିଜ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି । ବିଜେପି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି କୋଟିଆ ପ୍ରସଙ୍ଗରେ ବିଜେଡ଼ି ନେତା ମାନେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ଉପରେ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଅସହିଷ୍ଣୁ ହୋଇ ବିଜେଡ଼ି ନେତା ମାନେ ମତ ରଖିବା ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ । ସ୍କୁଲର ପିଲାଙ୍କ ସହ ବନ୍ଦେ ଉତ୍କଳ ଜନନୀ ଗାନ କରିବା, ବରପୁତ୍ରଙ୍କ ସ୍ମୃତି ଚାରଣ କରିବା ଯଦି ଅପରାଧ । ତେବେ ଆମେ କହିବୁ କେନ୍ଦ୍ର ମନ୍ତ୍ରୀ ବାରମ୍ବାର ଏହି ଅପରାଧ କରନ୍ତୁ ।

ସେହିଭଳି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ଆନ୍ଧ୍ରର ଅଫିସର ମାନେ କହିଲେ, ୨୧ଟି ଗାଁ ଆନ୍ଧ୍ର ପ୍ରଦେଶର ବୋଲି । ଏହାଶୁଣି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, କୋଟିଆ ଅଞ୍ଚଳ ଓଡିଶାର । ୧୯୫୬ ପରେ ସୀମା ବିବାଦ ସମାଧାନ ହୋଇନାହିଁ । ଏହାସହ କୋଟିଆବାସୀ ଆନ୍ଧ୍ର ମୁହାଁ ହେବାର କାରଣ ମଧ୍ୟ ରଖିଛନ୍ତି ମୁକେଶ । ଆନ୍ଧ୍ର ୨୫୦୦ ଟଙ୍କା ଭତ୍ତା ଦେଉଛି, ଓଡିଶା ୫୦୦ ଟଙ୍କା ଦେଉଛି । ୧୫୦ କୋଟି ଟଙ୍କାର ପ୍ରକଳ୍ପ ସେମିତି କିଛି କାମ ହୋଇନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋକ ପାଉନାହାନ୍ତି, ବିଜୁଳି ଏବଂ ରାସ୍ତା ଆନ୍ଧ୍ର ଦେଉଛି। ଓଡିଶା ସରକାର କୋଟିଆକୁ ଅବହେଳା କରୁଛି । ଆନ୍ଧ୍ରର ଉପମୁଖ୍ୟମନ୍ତ୍ରୀ କହିଲେ, କେନ୍ଦ୍ରମନ୍ତ୍ରୀଙ୍କୁ ଦେଖି ନେବୁ କିନ୍ତୁ ବିଜେଡ଼ି ନେତା ମାନେ ଦଳ ମତ ନିର୍ବିଶେଷରେ ଏକାଠି ହେବା ପରିବର୍ତ୍ତେ ଏଭଳି ମନ୍ତବ୍ୟ ଦେଉଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ସମର୍ଥନ ନ କରି ତାଙ୍କ ଗସ୍ତକୁ ନେଇ ବିଜେଡି ଯେଉଁ ମନ୍ତବ୍ୟ ଦେଉଛି ତାହା କୁମ୍ଭୀର କାନ୍ଦଣା ଭଳି । ଏହା କେତେ ଦୁସ୍ଥ ମାନସିକତା ତାହା ସ୍ପଷ୍ଟ ଅନୁମେୟ ।

ବିଜେପିର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ବିଜେଡ଼ି ସ୍ୱାଗତ କରିବା ପରିବର୍ତ୍ତେ ବିରୋଧ କରିବା ରାଜନୈତିକ ଅସହିଷ୍ଣୁତା । ୨୦୧୮ରେ କେନ୍ଦ୍ରମନ୍ତ୍ରୀ କୋଟିଆ ଗସ୍ତ କରି ଅରୁଣ ଜେଟଲୀଙ୍କୁ ଚିଠି ଲେଖିଥିଲେ । ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ଆନ୍ଧ୍ରର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ । ବାରମ୍ବାର ଚିଠି ଲେଖି ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ରାଜ୍ୟ ସରକାର ସର୍ବଦଳୀୟ ବୈଠକ ଡାକି ନାହାନ୍ତି । କେବଳ କୋଟିଆ ଗ୍ରାମପୁଞ୍ଜ ନୁହେଁ, ଗଞ୍ଜାମ, ଝାରସୁଗୁଡା ଓ ମୟୁରଭଞ୍ଜ ଭଳି ଅନେକ ଜିଲ୍ଲାରେ ପଡୋଶୀ ରାଜ୍ୟ ପ୍ରବେଶ କରୁଛି । ଯେଉଁଠି ଓଡିଶା ସରକାରଙ୍କ ବୋର୍ଡ ଲାଗିଛି । ଠିକ୍ ପାଖରେ ଆନ୍ଧ୍ର ସରକାରଙ୍କ ବୋର୍ଡ ଲାଗିଛି, । ଏହା ଦେଶରେ ବିରଳ । ବିଜେଡ଼ି ଧର୍ମେନ୍ଦ୍ର ପ୍ରଧାନଙ୍କ ଆନ୍ଧ୍ର ଗୋ ବ୍ୟାକକୁ ବିରୋଧ କରିବା ଯାହା ଆନ୍ଧ୍ର ସପକ୍ଷରେ କହିବା ତାହା । ବିଜେଡି ମୁହଁରେ ଆନ୍ଧ୍ର ଭାଷା ଶୁଣିବାକୁ ମିଳୁଛି ବୋଲି କହିଛନ୍ତି ସୂର୍ଯ୍ୟବଂଶୀ ସୂରଜ ।

ସେହିଭଳି ବିଜେପି ବିଧାୟକ ସନାତନ ବିଜୁଳି କହିଛନ୍ତି, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଓଡିଶା ଆସିଥିଲେ । ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଗଲା ନାହିଁ । କୋଟିଆରେ କଣ ୫ଟି କାମ କରୁନି କି ? ୧୦ କିମି ପର୍ୟ୍ୟନ୍ତ ଆନ୍ଧ୍ର ପ୍ରବେଶ କରିଛି, ଜିଲ୍ଲା ପ୍ରଶାସନ କଣ କରୁଛି ? କୋଟିଆବାସୀଙ୍କ ସହ କେବେ ମିଶିଛନ୍ତି କି ରାଜ୍ୟ ସରକାର । ତୁରନ୍ତ ଆନ୍ଧ୍ର ସରକାରଙ୍କ ହୋଡ଼ିଂ ହଟାନ୍ତୁ ଏବଂ ସୀମା ବିବାଦର ସମାଧାନ କରନ୍ତୁ ବୋଲି ସନାତନ କହିଛନ୍ତି ।

Spread the love