ସୋସିଆଲ୍ ମିଡିଆରେ ଲୋକଙ୍କ ପାଖରେ ପହଞ୍ଚିବ ବିଜେଡି

ଲୋକଙ୍କ ପାଖରେ ଡିଜିଟାଲ ମାଧ୍ୟମରେ ସହଜରେ ପହଞ୍ଚି ହେବ । ଏକଥାକୁ ଭଲ ଭାବରେ ବୁଝିସାରିଛି ବିଜୁ ଜନତା ଦଳ । ସେଥିପାଇଁ ଡିଜିଟାଲ ମାଧ୍ୟମକୁ ଗୁରୁତ୍ୱ ଦେଇ, ଲୋକପ୍ରିୟ ସୋସିଆଲ ମିଡିଆ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ ଓ ଟ୍ୱିଟରରେ କେମିିତି ସକ୍ରିୟ ହେବେ, ସେନେଇ ଶାସକ ଦଳର ନେତା, ପର୍ଯ୍ୟବେକ୍ଷକ, ବିଧାୟକ ଓ ମନ୍ତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଛି । ବିଶେଷକରି ନେତାଙ୍କୁ ଇନଷ୍ଟାଗ୍ରାମରେ ୫ରୁ ୧୦ ହଜାର ଫଲୋୟର୍ସ ବଢ଼ାଇବାକୁ ଦଳ ପକ୍ଷରୁ ଟାର୍ଗେଟ୍ ଦିଆଯାଇଛି । ତେବେ ବିଜେଡିର ଏଭଳି ପ୍ରୟାସକୁ ସମାଲୋଚନା କରିଛି ବିଜେପି । ନା’ ଟେଲିିଭିଜନ୍, ନା’ ଖବରକାଗଜ । ସହଜରେ ଓ ସୁବିଧାରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଶାସକ ବିଜେଡି ବାଛିଛି ଡିଜିଟାଲ ମାଧ୍ୟମ । ଫେସବୁକ୍, ଇନଷ୍ଟାଗ୍ରାମ ଓ ଟ୍ୱିଟର ଭଳି ଲୋକପ୍ରିୟ ସୋସିଆଲ ମିଡ଼ିଆ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଅଣ୍ଟା ଭିଡ଼ିଛି ଦଳ ।

ଇନଷ୍ଟାଗ୍ରାମ ଭଳି ଲୋକପ୍ରିୟ ଓ ବହୁଳ ଭାବେ ବ୍ୟବହୃତ ହେଉଥିବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମକୁ ଅଧିକ ଗୁରୁତ୍ୱ ଦେଉଛି ବିଜେଡି । ଏହି ଡିଜିଟାଲ ମାଧ୍ୟମର ସଠିକ୍ ବିନିଯୋଗ କରିବା ପାଇଁ ଶାସକ ଦଳର ନେତା, ପର୍ଯ୍ୟବେକ୍ଷକ, ବିଧାୟକ ଓ ମନ୍ତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏଥିପାଇଁ ଭୁବନେଶ୍ୱରରେ ଏକ ୫ଦିନିଆ କର୍ମଶାଳା ହେଉଛି । ପର୍ଯ୍ୟବେକ୍ଷକ, ଉପଦେଷ୍ଟା, ବିଧାୟକ ଓ ମନ୍ତ୍ରୀଙ୍କୁ ଏଥିପାଇଁ ସ୍ୱତନ୍ତ୍ର ତାଲିମ୍ ଦିଆଯାଉଛି । ନେତାଙ୍କୁ ଇନଷ୍ଟାଗ୍ରାମରେ ୫ରୁ ୧୦ ହଜାର ଫଲୋୟର୍ସ ବଢ଼ାଇବାକୁ ଟାର୍ଗେଟ୍ ଦିଆଯାଇଛି । ହାଇଦ୍ରାବାଦରୁ ସୋସିଆଲ ମିଡ଼ିଆ ଏକ୍ସପର୍ଟ ଆସି ବିଜେଡି ନେତାମାନଙ୍କୁ ତାଲିମ୍ ଦେଉଛନ୍ତି । ତେବେ ଏହି ପ୍ରଶିକ୍ଷଣକୁ ନେଇ ବିଜେଡି ନେତାମାନେ ଉତ୍ସାହିତ ଥିବା ବେଳେ ଦଳର ବୟସ୍କ ତଥା ବରିଷ୍ଠ ନେତାମାନେ ମଧ୍ୟ ସମୟ ସହ ବଦଳୁଥିବା ଆହ୍ୱାନକୁ ଗ୍ରହଣ କରିବା ପାଇଁ ଆଗେଇ ଆସିଛନ୍ତି ।

ଏପଟେ ବିଜେଡିର ଏଭଳି ଉଦ୍ୟମ ଭିନ୍ନ ଦୃଷ୍ଟିରେ ଦେଖି ସମାଲୋଚନା କରିଛି ବିଜେପି । ରାଜ୍ୟ ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ବିଜେଡି ହାତରେ ଆଉ କୌଣସି ଅସ୍ତ୍ର ନାହିଁ । ନିଜ ଛବି ବଞ୍ଚାଇବା ପାଇଁ ସୋସିଆଲ ମିଡ଼ିଆକୁ ଆୟୁଧ କରୁଛି । ଶାସକ ଦଳକୁ ରାଜ୍ୟରେ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ କରିଦେଇଛନ୍ତି । ତେଣୁ ବିଜେଡ଼ି ପାଖରେ ଆଉ କୌଣସି ରାସ୍ତା ନାହିଁ । ସୂଚନାଯୋଗ୍ୟ ଯେ, ରାଜନୀତିର ଏହି ବୟାନବାଜି ଭିତରେ ହୁଏତ ଗୋଟିଏ କଥା ସ୍ପଷ୍ଟ ଯେ, ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ସୋସିଆଲ ମିଡ଼ିଆ ଏକ ବଡ଼ ଭୂମିକା ନେବ ।

Spread the love