ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌ ଗିରଫ

ନ୍ୟୁୟର୍କ: ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ୍‌ସଙ୍କ ସହ ସଂପର୍କ ଏବଂ ତାଙ୍କୁ ଅନୁଚିତ ଭାବେ ବିପୁଳ ଅର୍ଥ ପ୍ରଦାନ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଜି ନ୍ୟୁୟର୍କର ଏକ ଅଦାଲତରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୋଗର ବିଚାରଣାକୁ ସାମ୍ନା କରିବା ପୂର୍ବରୁ ୭୬ ବର୍ଷୀୟ ଟ୍ରମ୍ପ୍‌ଙ୍କୁ ଗିରଫ କରାଯାଇଥିଲା। କୌଣସି ପୂର୍ବତନ ରାଷ୍ଟ୍ରପତି ଗିରଫ ହେବା ଆମେରିକା ଇତିହାସରେ ଏହା ହେଉଛି ପ୍ରଥମ ଘଟଣା। ଗିରଫ କରାଯିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି। ତେବେ ଟ୍ରମ୍ପ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ନିର୍ଦ୍ଦୋଷ ବୋଲି କହିଛନ୍ତି।

ଟ୍ରମ୍ପ୍‌ଙ୍କ ବିରୋଧରେ ଅଭିଯୋଗ ହେଉଛି ଯେ ସେ ୨୦୧୬ରେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ୍‌ସଙ୍କ ସହ ଅନୈତିକ ସଂପର୍କରେ ଥିଲେ ଏବଂ ତାଙ୍କୁ ଏହି ମାମଲାରେ ମୁହଁ ନ ଖୋଲିବା ପାଇଁ ୧ ଲକ୍ଷ ୩୦ ହଜାର ଡଲାର ପୈଠ କରିଥିଲେ। ଷ୍ଟର୍ମି ଟ୍ରମ୍ପ୍‌ଙ୍କ ସହ ସଂପର୍କ ନେଇ ସର୍ବସାଧାରଣରେ ତଥ୍ୟ ରଖିବା ପରେ ଏହା ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଅର୍ଥ ଟ୍ରମ୍ପ୍‌ଙ୍କ ଓକିଲ ମାଇକେଲ କୋହେନ୍‌ଙ୍କ ମାଧ୍ୟମରେ ପୈଠ କରାଯାଇଥିବା ଜଣାପଡ଼ିଥିଲା। ଟ୍ରମ୍ପ୍‌ ଯେତେବେଳେ ଏହି ଅର୍ଥ ମାଇକେଲ କୋହେନ୍‌ଙ୍କୁ ଫେରାଇ ଥିଲେ ସେତେବେଳେ ଏହାକୁ ତାଙ୍କ ଓକିଲଙ୍କ ପାରିଶ୍ରମିକ ଭାବେ ଦର୍ଶାଇଥିଲେ। ଏବେ ଏହି ମାମଲାରେ ଟ୍ରମ୍ପ୍‌ ଦୋଷୀ ସାବ୍ୟସ୍ତ ହୋଇ ଗିରଫ ହୋଇଥିବାରୁ ଆମେରିକା ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି।
ଆଜିର ଏହିସବୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମେନ୍‌ହଟ୍ଟନ କୋର୍ଟ ବାହାରେ ଟ୍ରମ୍ପ୍‌ଙ୍କର ବହୁ ସଂଖ୍ୟାରେ ସମର୍ଥକ ସମବେତ ହେବା ସହ ଅଦାଲତ ଘେରାଉ କରିଥିଲେ। ଶାନ୍ତି ଭଙ୍ଗ ଆଶଙ୍କାରେ ପ୍ରାୟ ୩୫ ହଜାର ପୁଲିସ ମୁତୟନ ହୋଇଥିବା ବେଳେ ସମସ୍ତ ସୁରକ୍ଷା ଏଜେନ୍ସି ହାଇଆଲର୍ଟରେ ଅଛନ୍ତି।

Spread the love