ମାତ୍ର ୧୨ ମିନିଟରେ ୫୦ଲକ୍ଷ କୋଟିର ବଜେଟ୍ ଅନୁମୋଦନକୁ ନେଇ ସରକାରଙ୍କୁ ସମାଲୋଚନା କଲେ ବିରୋଧୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରକୁ ଟାର୍ଗେଟ କରିବା ଆରମ୍ଭ କରିଛି ବିରୋଧୀ। କେନ୍ଦ୍ରରୁ ବିଜେପି ସରକାର ହଟାଇବା ପାଇଁ ବିରୋଧୀ ଏକଜୁଟ ହୋଇଥିବା ବେଳେ ବିଭିନ୍ନ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରାଯାଉଛି। ଏ ମଧ୍ୟରେ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନି କରି ୧୨ମିନିଟରେ ୫୦ଲକ୍ଷ କୋଟିର ବଜେଟ ପାସକୁ ନେଇ ବିଜେପିକୁ ସମାଲୋଚନା କରିଛି।

ସଂସଦ ଗୃହରୁ ବିଜୟ ଚୌକ୍ ପର୍ଯ୍ୟନ୍ତ ‘ତ୍ରିରଙ୍ଗା ଶୋଭାଯାତ୍ରା’ ପରେ କନଷ୍ଟିଚ୍ୟୁସନ୍ କ୍ଲବରେ ବିରୋଧୀ ଦଳର ନେତାଙ୍କ ସହିତ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ କଂଗ୍ରସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଏହି ସମ୍ମିଳନୀକୁ ସମ୍ବୋଧନ କରି ସେ ବିଜେପି ଉପରେ ବିଭିନ୍ନ ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ, ମାତ୍ର ୧୨ ମିନିଟରେ ୫୦ଲକ୍ଷ କୋଟି ବଜେଟ୍ ପାରିତ ହୋଇଛି, କିନ୍ତୁ ବିଜେପି ସର୍ବଦା ଅଭିଯୋଗ କରୁଛି ଯେ ବିରୋଧୀ ଦଳର ବଜେଟକୁ ନେଇ କୌଣସି ଆଗ୍ରହ ନାହିଁ ଏବଂ ବିରୋଧୀ ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ହେଲେ ଶାସକ ଦଳ ହିଁ ବିଶୃଙ୍ଖଳା ସୃଷ୍ଟି କରୁଛି। ଯେତେବେଳେ ବି ଆମେ କିଛି ଦାବି କରୁଛୁ, ସେତେବେଳେ ଆମକୁ କହିବାକୁ ଅନୁମତି ଦିଆଯାଉନାହିଁ। ମୋର ୫୨ବର୍ଷ କ୍ୟାରିୟର ମଧ୍ୟରେ ଏଭଳି ପ୍ରଥମ ଥର ପାଇଁ ଘଟିଛି ଏବଂ ଏହା ପୂର୍ବରୁ ଏଭଳି ଘଟଣା ଘଟି ନଥିଲା। ବଜେଟ୍ ଅଧିବେଶନକୁ ନିଷ୍ଫଳ କରିବା ସରକାରଙ୍କ ଉଦ୍ଦେଶ୍ୟ ଥିଲା ଏବଂ ଆମେ ଏହି ମନୋଭାବକୁ ନିନ୍ଦା କରୁଛୁ। ଯଦି ଏଭଳି ଜାରି ରହେ, ତେବେ ଦେଶରେ ଗଣତନ୍ତ୍ର ସମାପ୍ତ ହେବ ଏବଂ ଆମେ ଏକଛତ୍ରବାଦୀ ଶାସନ ଆଡକୁ ଚାଲିଯିବା।”

ଗୁରୁବାର ସଂସଦର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବା ପରେ ବିଭିନ୍ନ ବିରୋଧୀ ଦଳର ସାଂସଦମାନେ ସଂସଦରୁ ବିଜୟା ଚୌକ ପର୍ଯ୍ୟନ୍ତ ‘ତ୍ରିରଙ୍ଗା ଶୋଭାଯାତ୍ରା’ କରଛନ୍ତି। ଆଦାନୀ ଷ୍ଟକ୍‌ ଘୋଟାଲାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରି ଆସୁଥିବା ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ପରେ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ତ୍ରିରଙ୍ଗା ଶୋଭାଯାତ୍ରା ପରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ, ସରକାରଙ୍କ ଜିଦ୍‌ଖୋର ଆଭିମୁଖ୍ୟ ଯୋଗୁଁ ବଜେଟ୍‌ ଅଧିବେଶନର ଦ୍ୱିତୀୟାର୍ଦ୍ଧ ଧୋଇ ଯାଇଥିବା ନେଇ ବିରୋଧୀ ସାଂସଦମାନେ ଅଭିଯୋଗ କରିଥିଲେ।

Spread the love