ସୁଖୋଇରେ ଉଡ଼ିଲେ ରାଷ୍ଟ୍ରପତି ‌ଦ୍ରୌପଦୀ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ସୁଖୋଇ ୩୦ ଏମ୍‌‌କେଆଇ ଯୁଦ୍ଧ ବିମାନରେ ଉଡ଼ିଛନ୍ତି। ମୁର୍ମୁ ଆଣ୍ଟି ଗ୍ରାଭିଟି ସୁଟ୍‌ ପିନ୍ଧି ଆସାମର ତେଜପୁର ବା‌ୟୁସେନା ଘାଟିରୁ ଯୁଦ୍ଧ ବିମାନରେ ଉଡ଼ାଣ ଭରିଛନ୍ତି। ରାଷ୍ଟ୍ରପତି ହେଉଛନ୍ତି ଭାରତୀୟ ସେନାବାହିନୀର ସୁପ୍ରିମ୍‌ କମାଣ୍ଡର। ସେ ପ୍ରାୟ ୨୫ ମିନିଟ୍‌ ଧରି ଯୁଦ୍ଧ ବିମାନରେ ଉଡ଼ିଥିଲେ। ଉଡ଼ାଣ ସମୟରେ ବ୍ରହ୍ମପୁତ୍ର ଓ ତେଜପୁର ଭ୍ୟାଲି ସହ ରାଷ୍ଟ୍ରପତି ହିମାଳୟର ଦୃଶ୍ୟ ଦେଖିଛନ୍ତି।

ଉଡ଼ାଣ ସ‌ାରି ଫେରିବାପରେ ରାଷ୍ଟ୍ରପତି ସାମ୍ବାଦିକମାନଙ୍କୁ କହିଥିଲେ ଯେ ଖୁବ୍‌ ଭଲ ଲାଗିଲା। ରାଷ୍ଟ୍ରପତି ମୁର୍ମୁ ଏବେ ୩ ଦିନିଆ ଆସାମ ଗସ୍ତରେ ଅଛନ୍ତି। ମୁର୍ମୁ ଗୌହାଟୀରୁ ତେଜପୁର ପହଞ୍ଚିବାପରେ ଏୟାର ମାର୍ଶାଲ ଏସ୍‌ପି ଧରକଡ଼, ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ତାଙ୍କୁ ବାୟୁସେନା ଘାଟିରୁ ପାଛୋଟି ନେଇଥିଲେ। ମୁର୍ମୁ ତେଜପୁର ବାୟୁସେନା ଘାଟିରେ ପହଞ୍ଚିବାପରେ ତାଙ୍କୁ ବାୟୁ ସେନା ସଦସ୍ୟମାନେ ଗାର୍ଡ ଅଫ୍‌ ଅନର୍‌ ଦେଇଥିଲେ। ରାଷ୍ଟ୍ରପତି ମଧ୍ୟ ଯୁଦ୍ଧ ବିମାନ ଆଗରେ ପାଇଲଟ ଏବଂ ଅଧିକାରୀଙ୍କ ସହ ଫଟୋ ପୋଜ୍‌ ଦେଇଛନ୍ତି। ମୁର୍ମୁ ଭାରତର ଦ୍ବିତୀୟ ମହିଳା ରାଷ୍ଟ୍ରପତି ଭାବେ ଯୁଦ୍ଧ ବିମାନରେ ଉଡ଼ିଛନ୍ତି। ପୂର୍ବରୁ ୨୦୦୯ରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ମଧ୍ୟ ଯୁଦ୍ଧ ବିମାନରେ ଉଡ଼ାଣ ଭରିଥିଲେ।

Spread the love