ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୪ବର୍ଷ ଜେଲ

କଟକ:ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି କଟକ ଅତିରିକ୍ତ ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତ ସୋମବାର ମାହାଙ୍ଗା ଥାନା ରାମକାପୁର ଗ୍ରାମର ଶ୍ୟାମସୁନ୍ଦର ବେହେରା(୫୯)କୁ ୧୪ବର୍ଷ ଜେଲ ଓ ୨୧ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଅଦାଲତ ପୋକ୍ସୋ ଆଇନର ଧାରା ୬ ଓ ଆଇପିସିର ଦଫା ୫୦୬ରେ ଶ୍ୟାମସୁନ୍ଦରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜରିମାନା ଟଙ୍କ‌ା ନ ଦେଲେ ଆସାମୀକୁ ୧ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଜରିମାନା ଯଦି ଆଦାୟ ହୁଏ ତେବେ ଏହି ଟଙ୍କା ପୀଡିତାଙ୍କୁ ପ୍ରଦାନ କରାଯିବ ବୋଲି ଅଦାଲତ କହିଛନ୍ତି। ଏଥି ସହିତ ପୀଡିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାରୁ ପ୍ରକାଶ ଯେ ସମ୍ପୃକ୍ତ ନାବାଳିକାଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଓ ଧମକଚମକ ଦେଇ ଶ୍ୟାମସୁନ୍ଦର ବାରମ୍ବାର ଶାରୀରିକ ସଂପର୍କ ରଖିଥିବା ନେଇ ଅଭିଯୋଗ ହୋଇଥିଲା। ପୀଡିତା ଗର୍ଭବତୀ ହୋଇଥିବା ଜଣା ପଡିବା ପରେ ଏ ନେଇ ପରିବାର ତରଫରୁ ମାହାଙ୍ଗା ଥାନାରେ ୨୦୧୪, ଅଗଷ୍ଟ ୨୬ରେ ଏତଲା ଦିଆଯାଇଥିଲା। ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ୨୦୧୮, ଜାନୁଆରି ୨୯ରୁ ଶ୍ୟାମସୁନ୍ଦର ଜେଲରେ ଥିବା ବେଳେ ୨୦୧୮, ମେ ୨୯ରେ ମାହାଙ୍ଗା ଥାନା ପୁଲିସ ଅଦାଲତରେ ତାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା। ଅଦାଲତରେ ମାମଲାର ଶୁଣାଣି ସମୟରେ ପ୍ରସିକ୍ୟୁସନ ପକ୍ଷରୁ ୧୧ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରସିକ୍ୟୁଟର ରମେଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ।

Spread the love