୧୦ କ୍ୱିଂଟାଲ୍ ଗୋମାଂସ ଜବତ, ୩ ଅଟକ

ଖୋର୍ଦ୍ଧା: ସୋମବାର ରାତି ପ୍ରାୟ ୧୦ଟା ବେଳେ ଖୋର୍ଦ୍ଧା ବାଟମଙ୍ଗଳା ଛକଠାରେ ଗୋସୁରକ୍ଷା କମିଟି, ବଜରଙ୍ଗଦଳର କର୍ମୀମାନେ ଖୋର୍ଦ୍ଧାରୁ ଉତ୍ତର ପ୍ରଦେଶ ପ୍ରାୟ ୧୦ କ୍ୱିଂଟାଲ୍ ଗୋମାଂସ ନେଇ ଯାଉଥିବା ଏକ ଟ୍ରକକୁ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି । ଏହି ମାମଲାରେ ପୁଲିସ ଟ୍ରକ ଚାଳକ ସହ ୩ଜଣଙ୍କୁ ଅଟକ ରଖି ପଚାରାଉଚୁରା ଚଳାଇଛି ।
ସୂଚନାନୁସାରେ, ଆଜି ଜଟଣୀ ବେଣାପଂଜରୀ ଓ ଖୋର୍ଦ୍ଧା ଉପକଣ୍ଠରୁ ଗୋମାଂସ ଧରି ଏକ ଟ୍ରକ (ୟୁପି ୨୧ଡିଟି ୨୪୮୫) ୧୬ ନମ୍ବର ଜାତୀୟ ରାଜପଥର ବାଟମଙ୍ଗଳା ବାଇପାସ୍ ଦେଇ ଯାଉଥଲା । ଏନେଇ ସୂଚନା ପାଇ ବଜରଙ୍ଗଦଳ, ଗୋସୁରକ୍ଷା କମିଟି, ହିନ୍ଦୁ ସୁରକ୍ଷା ବାହିନୀର ସଦସ୍ୟମାନେ ଟ୍ରକ ଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତେବେ ଗାଡ଼ିଚାଳକ ଯୁବକମାନଙ୍କୁ ଉପରେ ଚଢ଼ାଇଦେବାକୁ ଉଦ୍ୟମ କରିଥିବା ବେଳେ ଦୈବାତ୍ ନିର୍ମାଣାଧୀନ ରାସ୍ତାତଳକୁ ଖସିଯାଇଥିଲା । ଯୁବକମାନେ ଟ୍ରକ ଚାଳକ ସହ ଦୁଇଜଣ ସହଯୋଗୀଙ୍କୁ ଧରି ଖୋର୍ଦ୍ଧା ଟାଉନ ଥାନା ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଟ୍ରକ୍ ସହ ତିନିଜଣକୁ ଥାନାକୁ ଆଣି ଅଟକ ରଖିଛି । ଟ୍ରକ୍ରେ ପ୍ରାୟ ୧୦ କ୍ୱିଂଟାଲ୍ ଗୋ ମାଂସ ରହିଛି । ଖବର ଲେଖିବା ବେଳକୁ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ଦାଖଲ ହୋଇନଥିବା ବେଳେ ଜବତ ମାଂସର ପରୀକ୍ଷଣ ଓ କାଗଜପତ୍ର ଯାଂଚପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି ।

Spread the love