ଓଡିଶା ପରିବାର ନିର୍ଦ୍ଦେଶାଳୟ” କେବଳ ମାତ୍ର ଧୁଆଁବାଣ ଏବଂ ପ୍ରବଂଚନା: ରାଜେନ୍ଦ୍ର ପଣ୍ଡା

ଭୁବନେଶ୍ୱର, ତା.୧୦/୦୪: ଦୀର୍ଘ ୨୩ବର୍ଷ ଶାସନ ଗାଦିରେ ଥିଲେ ବି ବିଜେଡି ସରକାର କେବେହେଲେ ପ୍ରବାସୀ ଓଡ଼ିଆମାନଙ୍କ ହିତପାଇଁ ଚିନ୍ତା କରିନଥିଲେ । ରୋଜଗାର ଅନ୍ୱେଷଣରେ ବାହାର ଦେଶକୁ ଯାଇଥିବା ଓଡିଆଙ୍କ ମୃତ ଦେହକୁ ସଠିକ ସମ୍ମାନ ଦେବାରେ ବାରମ୍ବାର ବିଫଳ ହୋଇଛନ୍ତି ବିଜେଡି ସରକାର । ହଠାତ୍ ପ୍ରବାସୀ ଓଡିଆମାନଙ୍କ ସ୍ୱାର୍ଥ ପାଇଁ ଗତ କାଲିର କ୍ୟାବିନେଟ ନିଷ୍ପତି ଅନୁଯାୟୀ “ଓଡିଶା ପରିବାର ନିର୍ଦ୍ଦେଶାଳୟ” ଖୋଲାଯିବା କେବଳ ମାତ୍ର ଧୁଆଁବାଣ ଏବଂ ପୁଣି ଏକ ପ୍ରବଂଚନା ବୋଲି ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା କହିଛନ୍ତି ।

ଲକ୍ଷ ଲକ୍ଷ ଓଡ଼ିଆ ଦାଦନ ଖଟିବା ପାଇଁ ରାଜ୍ୟ ଓ ଦେଶ ବାହାରକୁ ଯାଉଛନ୍ତି । ଆମ ରାଜ୍ୟରେ ସେମାନଙ୍କ ପାଇଁ କୌଣସି ସ୍ଥାୟୀ ରୋଜଗାରର ପନ୍ଥା ଗ୍ରହଣ ନକରି ଏବେ ପ୍ରବାସୀ ଓଡ଼ିଆମାନଙ୍କର ଚିନ୍ତା କେବଳ ଆଗାମୀ ନିର୍ବାଚନକୁ ଆଖିଆଗରେ ରଖି ବିଜେଡିର ଏହା ଏକ ନିର୍ବାଚନୀ ଚାଲ । କୋଭିଡ ମହାମାରୀ ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଚାଲି ଚାଲି ଓଡ଼ିଶାକୁ ଫେରିଥିଲେ । ଏକ ସ୍ୱତନ୍ତ୍ର ବିଭାଗ ଖୋଲି ସେମାନଙ୍କ ନାମ ପଞ୍ଜିକରଣ ଓ ଡାଟା ବେସ୍ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଥିଲା କିନ୍ତୁ ରାଜ୍ୟ ସରକାର ଜାଣିଶୁଣି ଏହି ସୁଯୋଗକୁ ହାତଛଡା କରିଦେଇଥିଲେ । ଏହା ନକରି ଏବେ ନୂତନ ଭାବେ “ଓଡିଶା ପରିବାର ନିର୍ଦ୍ଦେଶାଳୟ” କଣ ଆବଶ୍ୟକତା ପଡିଲା ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।
ଏହି ନିର୍ଦ୍ଦେଶାଳୟ ମାଧ୍ୟମରେ ପ୍ରବାସୀମାନଙ୍କର ସୁବିଧା, ସୁଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସମସ୍ୟାକୁ ଦେଖିବା ପାଇଁ କରାଯାଇଛି । ଏହାର ଅର୍ଥ ହେଲା ୨୩ବର୍ଷ ଧରି ରାଜ୍ୟ ସରକାର ପ୍ରବାସୀ ଓଡ଼ିଆମାନଙ୍କର ଦୁଃଖ, ଦୁର୍ଦ୍ଦଶା ଓ ସମସ୍ୟା ପ୍ରତି ଆଖି ବୁଜି ଦେଇଥିଲେ । ରାଜ୍ୟ ସରକାର ଏହି ନିର୍ଦ୍ଦେଶାଳୟ ମାଧ୍ୟମରେ ଓଡ଼ିଶାର ସଂସ୍କୃତି ଓ ଜଗନ୍ନାଥଙ୍କ ଐତିହ୍ୟ ପରମ୍ପରା ପ୍ରଚାର ପ୍ରସାର କରିବା କେବଳ ଏକ ପ୍ରଚାର ସର୍ବସ୍ୱ । ଓଡିଆଙ୍କ ଆରଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ମନ୍ଦିରର ସୁରକ୍ଷା ଆଜି ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରତ୍ନଭଣ୍ଡାରର ଚାବି ଆଜି ପର୍ଯ୍ୟନ୍ତ ଖୋଜି ବାହାର କରିପାରିଲେ ନାହିଁ । ଭକ୍ତମାନେ ଅସୁରକ୍ଷିତ ହୋଇପଡିଛନ୍ତି । ପୁରୀରେ ଗତ କାଲି ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରବାସୀଙ୍କ ସମେତ ସମସ୍ତ ଭକ୍ତଗଣ ଅସହ୍ୟ ଖରାରେ ଛିଡା ହୋଇଥିବା ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ଥିଲା । ଲକ୍ଷାଧିକ ଭକ୍ତଙ୍କ ସ୍ୱାର୍ଥ ଓ ହିତ ଦୃଷ୍ଟିରୁ ପୁରୀରେ ଆବଶ୍ୟକୀୟ ଭିତିଭୁମି, ସୁବିଧା ସୁଯୋଗ ଯୋଗାଇ ଦେବା ହେଉଛି ପ୍ରାଥମିକତା । ଏହା ନକରି ବିଦେଶରେ ଥିବା ଜଗନ୍ନାଥ ମନ୍ଦିର ପାଇଁ ଚିନ୍ତା କରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ବିଜେଡି ଶାସନ ବ୍ୟବସ୍ଥାରେ ସମସ୍ତ ବିଧି ବିଧାନର ଉଲଘଂନ କରି ବେଆଇନଭାବେ ବିଜେଡି ନେତାମାନଙ୍କୁ ପ୍ରିନ୍ସିପାଲ ସେକେ୍‌୍ରଟେରୀ ପାହ୍ୟା ଦେଇ ନିଜର ନେତାଙ୍କୁ ଥଇଥାନ କରୁଛନ୍ତି । ଏବେ ଓଡ଼ିଆ ପରିବାର ନିର୍ଦ୍ଦେଶାଳୟ ଖୋଲି ଆଉ କିଛି ଅସନ୍ତୁଷ୍ଟ ବିଜେଡି ନେତାମାନଙ୍କୁ ଥଇଥାନ କରାଇ ଓଡ଼ିଶାର ଗରୀବ ଓ ଖଟିଖିଆ ଅର୍ଥରେ ଟୁର କରି ମଉଜ୍ ମଜଲିସ କରିବାକୁ ଆଉ ଏକ ମସୁଧା କରୁଛନ୍ତି । ଏହା ପୂର୍ବରୁ ବିଜୁ ଯୁବ ବାହିନୀ ଏବଂ ପିଠା ଯୋଜନା ଭଳି ବହୁ ଯୋଜନା ରାଜ୍ୟ ସରକାରଙ୍କର ପ୍ରଚାର ସର୍ବସ୍ୱ ହୋଇଥିଲା । “ଓଡିଶା ପରିବାର ନିର୍ଦ୍ଦେଶାଳୟ” ମଧ୍ୟ ଆଗାମୀ ନିର୍ବାଚନ ପାଇଁ ପ୍ରଚାର ସର୍ବସ୍ୱ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓଡ଼ିଶା ଭାଷାର ବିକୃତ ଉଚ୍ଚାରଣ କରି ଓଡ଼ିଆ ଭାଷା ଓ ସଂସ୍କୃତିକୁ ଅପମାନିତ କରିଛନ୍ତି, ଯାହାକି ପ୍ରବାସୀ ଓଡ଼ିଆମାନଙ୍କୁ ବେଶ୍ ଜଣା । ଓଡ଼ିଶା ଭାଷା ଆଇନକୁ କଡାକଡି ଭାବେ ଆଇନ ଥିଲେ ମଧ୍ୟ ଓଡ଼ିଶା ରାଜ୍ୟରେ ବିଭିନ୍ନ ପ୍ରତିଷ୍ଠାନଗୁଡିକରେ ଓଡ଼ିଆ ଭାଷାରେ ନାମଫଳକ ଲେଖାନହେବା ରାଜ୍ୟ ସରକାରଙ୍କର ଓଡ଼ିଶା ଭାଷାପ୍ରତି ଏହା ହେଉଛନ୍ତି ଆନ୍ତରିକତା । “ଓଡିଶା ପରିବାର” ନାଁରେ ନିର୍ଦ୍ଦେଶାଳୟ ଖୋଲି ରାଜନୀତି କରିବା ବନ୍ଦ କରନ୍ତୁ । ଓଡ଼ିଶାର ଭାଷା, ସଂସ୍କୃତି, ଐତିହ୍ୟ ଓ ପରମ୍ପରା କିଭଳି ବଜାୟ ରହିବ ତାପ୍ରତି ଧ୍ୟାନ ଦେବା ଉଚିତ୍ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Spread the love