‘ଆମ ଭୂମିରୁ ଛୁଞ୍ଚିମୁନରେ ମୁନେ ସୁଦ୍ଧା କେହି ନେଇପାରିବେ ନାହିଁ’: ଗୃହମନ୍ତ୍ରୀ

ନୂଆଦିଲ୍ଲୀ:କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଚୀନର ବିରୋଧ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଭାରତର ଆଞ୍ଚଳିକ ଅଖଣ୍ଡତାକୁ କେହି ପ୍ରଶ୍ନ କରିପାରିବେ ନାହିଁ। ଏଥିସହ ସେ କହିଛନ୍ତି, ‘ଆମ ଭୂମିରୁ ଛୁଞ୍ଚି ମୂନରେ ମୂନେ ସୁଦ୍ଧା କେହି ନେଇପାରିବେ ନାହିଁ।’

‘ସେଦିନ ସବୁ ଚାଲିଗଲାଣି, ଯେତେବେଳେ ଲୋକମାନେ ଆମ ଭୂମିକୁ ଜବରଦଖଲ କରି ନେଉଥିଲେ।’ ଚୀନ୍‌ ସହ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଠାରୁ ପ୍ରାୟ ୧୧ କିଲୋମିଟର ଏବଂ ଭାରତ, ଚୀନ୍‌ ଏବଂ ମିଆଁମାର ଟ୍ରାଇ-ଜଙ୍କସନ୍‌ ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ଅରୁଣାଚଳ ପ୍ରଦେଶର ସୀମାନ୍ତ ଗ୍ରାମ ଅଞ୍ଜାଓ ଜିଲ୍ଲାର କିବିଥୁରୁ ‘ଭାଇବ୍ରାଣ୍ଟ ଭିଲେଜ୍‌ ପ୍ରୋଗ୍ରାମ’ର ଶୁଭାରମ୍ଭ କରିବା ଅବସରରେ ଆଜି ମନ୍ତ୍ରୀ ଶ୍ରୀ ଶାହା ଏକଥା କହିଛନ୍ତି।
ଅନ୍ୟପକ୍ଷରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନ୍‌ ଦୃଢ଼ ବିରୋଧ କରିଛି ଏବଂ ଏହି ଅଞ୍ଚଳରେ ମନ୍ତ୍ରୀ ଶ୍ରୀ ଶାହାଙ୍କ କାର୍ଯ୍ୟକଳାପକୁ ବେଜିଂର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି ଚୀନ୍‌ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କହିଛନ୍ତି।
ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅରୁଣାଚଳ ଗସ୍ତ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ଚୀନ୍‌ ମୁଖପାତ୍ର ଓ୍ଵାଙ୍ଗ୍‌ ୱେନବିନ୍‌ କହିଛନ୍ତି, ଜାଙ୍ଗନାନ (ବେଜିଂ ଅରୁଣାଚଳକୁ ଜାଙ୍ଗନାନ ବୋଲି କହୁଛି) ହେଉଛି ଚୀନ୍‌ର ଅଞ୍ଚଳ। ଭାରତୀୟ ଅଧିକାରୀଙ୍କ ଜାଙ୍ଗନାନ ଗସ୍ତ ଚୀନର ସାର୍ବଭୌମତ୍ୱକୁ ଉଲ୍ଲଂଘନ କରୁଛି ଏବଂ ସୀମା ସ୍ଥିତିର ଶାନ୍ତି ଓ ସ୍ଥିରତା ପାଇଁ ଏହା ଅନୁକୂଳ ନୁହେଁ।

Spread the love