ନାକ୍ ‘ଏ’ ଗ୍ରେଡ୍ ହାସଲ କଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ

ବାରିପଦା  : ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ବଜାୟ ରଖି ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ତୃତୀୟ ପର୍ଯ୍ୟାୟ ମୂଲ୍ୟଙ୍କନ ନିର୍ଦ୍ଧାରଣ ପ୍ରକ୍ରିୟାରେ ‘ଏ’ ଗ୍ରେଡ୍ ହାସଲ କରିଛି । ମୋଟ ୪.୦୦ ସ୍କୋର୍ରୁ ୩.୧ କ୍ୟୁମୁଲେଟିଭ୍ ଗ୍ରେଡ ପଏଣ୍ଟ ଆଭରେଜ (ସିଜିପିଏ) ହାସଲ କରି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଏହି କୃତିତ୍ୱ ହାସଲ କରିଛି । ଏଥିଲାଗି ବିଶ୍ୱବିଦ୍ୟାଳୟରେ ଖୁସିର ଲହରୀ ଖେଳି ଯାଇଛି ।
ଏହି ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥି, କୁଳସଚିବ ସହଦେବ ସମାଧିଆ ପ୍ରମୁଖ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ମାର୍ଚ୍ଚ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ନାକ୍ ତରଫରୁ ଏକ ପାଞ୍ଚଜଣିଆ ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ପାଠ୍ୟକ୍ରମର ଦିଗ, ଶିକ୍ଷା ପ୍ରଦାନ ଓ ଗ୍ରହଣ, ମୂଲ୍ୟାୟନ, ଗବେଷଣା, ନବୀକରଣ ଓ ବିସ୍ତାର, ଭିତ୍ତିଭୂମି ଏବଂ ଶିକ୍ଷା ଗ୍ରହଣ ସଂଶୋଧନ, ଛାତ୍ରଙ୍କ ସହଯୋଗ ଓ ପ୍ରଗତି, ପ୍ରଶାସନ, ନେତୃତ୍ୱ ଓ ପରିଚାଳନା, ଶୈକ୍ଷିକ ମୂଲ୍ୟବୋଧ, ସର୍ବୋତ୍ତମ ଅଭ୍ୟାସ ଭଳି ମାନଦଣ୍ଡକୁ ନେଇ ଏହି ମୂଲ୍ୟାଙ୍କନ କରାଯାଇଥିଲା । ସୂଚନାଯୋଗ୍ୟ ଯେ ବିଶ୍ୱବିଦ୍ୟାଳୟ ୨୦୧୧ ମସିହାରେ ‘ବି’ ଗ୍ରେଡ ଏବଂ ୨୦୧୭ ମସିହାରେ ‘ବି+’ ଗ୍ରେଡ ହାସଲ କରିଥିଲା ।

Spread the love