ବର୍ଷାଙ୍କ ଅଭିଯୋଗ ପରେ ଅନୁଭବଙ୍କ ଯୁକ୍ତି, ସରକାରୀ ଦସ୍ତାବିଜ ବାବଦରେ ମୁହଁ ତ ଖୋଲ

ଭୁବନେଶ୍ୱର: କିଏ କରୁଛି ମିଛ ଅପପ୍ରଚାର | କିଏ ଆଣୁଛି ମିଛ ଅଭିଯୋଗ | ନିଜ ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡକୁ ନେଇ କୋର୍ଟରେ ଲଢେଇ ଚାଲିଥିବାବେଳେ ଏବେ ସାମ୍ନାକୁ ଆସି ନିଜ ପ୍ରତି ହୋଇଥିବା ଅନ୍ୟାୟ-ଅପପ୍ରଚାର ବାବଦରେ ସମସ୍ତଙ୍କୁ କହୁଛନ୍ତି ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ | ଗତକାଲି ଏକ କାର୍ଯ୍ୟକ୍ରମରେ ବର୍ଷା କହିଥିଲେ ଯେ, ‘ମୁଁ ପୀଡ଼ିତା। ମୋ ନାମରେ ମିଥ୍ୟା ଅପପ୍ରଚାର କରାଗଲା।ଏ ଜୀବନ ଅନିଶ୍ଚିତ | ଜୀବନରେ କେତେବେଳେ କ’ଣ ଘଟିବ କେହି ଜାଣି ନଥାନ୍ତି। ମୁଁ ଲାଜୁଆ, ଡରୁଆ ପ୍ରକୃତିର ଝିଅ। ମୋ ଜୀବନରେ ଝଡ ଆସିଲା, ଯାହା ଆଶା କରିନଥିଲି ସେୟା ହେଲା। ଜୀବନ ମତେ ବହୁତ୍ ଥର ତଳେ ପକେଇବାକୁ ଚେଷ୍ଟା କରିଛି, ମୁଁ  କିନ୍ତୁ ପୁଣି ଥରେ ଛିଡା ହୋଇଛି। ମୋ ପରିବାର ମତେ ଆତ୍ମ ବିଶ୍ବାସ ଯୋଗାଇଛି । ଆଉ ସବୁଠୁ ବଡ ଶକ୍ତି ହେଲା ଧୈର୍ଯ୍ୟ।

ସାମାଜିକ କାର୍ଯ୍ୟକ୍ରମର ଫଟୋ ସୋସିଆଲ ମିଡିଆରେ ସେୟାର କଲେ ବହୁତ୍ କମେଣ୍ଟ ଆସୁଛି ଯେ ଟିକେଟ ପାଇଁ ଏସବୁ କରୁଛି, ରାଜନୀତିକୁ ଯିବା ପାଇଁ କରୁଛି, ଦେଖେଇ ହେଉଛି।  ଧିରେ ଧିରେ ଏପରି ମନ୍ତବ୍ୟ ବଢିବା ମତେ କଷ୍ଟ ଦେଲା। ଯେଉଁମାନେ ଜୀବନରେ କେବଳ ହତାଶ ହୋଇ ଅନ୍ୟର ଗୋଡ ଟାଣନ୍ତି ସେମାନେ ସଫଳ ବୋଲି ବାପା-ମା ମତେ ବୁଝାଇଥିଲେ। ଛୋଟବେଳୁ ମୁଁ ମୋ ପାରିଶ୍ରମିକ ସାମାଜିକ କାମରେ ଲଗାଇ ଥାଏ। ତା’ମାନେ କଣ ମୁଁ ଛୋଟ ବେଳୁ ରାଜନୀତିକୁ ଯିବାକୁ ଚାହୁଁଥିଲି’? ବର୍ତ୍ତମାନ ଏସବୁର ଉତ୍ତର ଦେବାକୁ ସାମ୍ନାକୁ ଆସିଛନ୍ତି ଅନୁଭବ ମହାନ୍ତି | ଅନୁଭବ ଯଦିଓ ସିଧାସଳଖ ପ୍ରଶ୍ନ କରିଛନ୍ତି ଅନୁଭବଙ୍କ ସାଙ୍ଗ ଜାଗୃତି କିନ୍ତୁ ପରୋକ୍ଷ ଭାବରେ ପ୍ରଶ୍ନ ଉଠାଇଛନ୍ତି | ଅନୁଭବ ଲେଖିଛନ୍ତି ଯେ,’ଯଦି ମିଛ ଅପପ୍ରଚାର ହେଉଛି ତାହା ବିରୁଦ୍ଧରେ ଆପଣ ଓ ସମସ୍ତେ ନିହାତି ମୁହଁ ଖୋଲିବା ଦରକାର । ମୁଁ ମଧ୍ୟ ଏ ବିଷୟରେ ଏକମତ । ସେଥିପାଇଁ ଦୟା କରି ଏହି ସରକାରି ଦସ୍ତାବିଜ ବିରୁଦ୍ଧରେ ମୁହଁ ଖୋଲନ୍ତୁ । ଆପଣଙ୍କ ଜବାବର ଅପେକ୍ଷାରେ ମୁଁ ଆଉ ଓଡି଼ଶାବାସୀ’ ।

ଏହା ଲେଖିବା ସହ ଅନୁଭବ ପାସପୋର୍ଟ ଦସ୍ତାବିଜର କିଛି ଫଟୋ ସେୟାର କରିଛନ୍ତି | ଅନ୍ୟପଟେ ଜାଗୃତି ନିଜ ଫେସବୁକରେ ଲେଖିଛନ୍ତି ଯେ ଜଣେ ମହିଳା, ମହିଳା ସଶକ୍ତିକରଣ କ୍ଷେତ୍ରରେ ଭାଷଣ ଦେଇ ପ୍ରତି କ୍ଷେତ୍ରରେ ନିଜର ଅସ୍ତିତ୍ୱ ଜାହିର କରୁଛନ୍ତି । ହେଲେ ସେହି ମହିଳା ତାଙ୍କ ନିଜର ପରିଚୟ ପ୍ରତି ଆଞ୍ଚ ଆସିବା ନାଁରେ ତାଙ୍କ ସ୍ୱାମୀଙ୍କ ସାଙ୍ଗିଆ ବ୍ୟବହାର କରିବାରେ ବିଶ୍ୱାସ କରନ୍ତି ନାହିଁ । ସେହି ମହିଳା ସ୍ୱାମୀଙ୍କ ଟଙ୍କା ପାଇଁ କୋର୍ଟରେ ନିଜକୁ ପୀଡ଼ିତା କହି ମାସିକିଆ ଦରମା ନିଅନ୍ତି । ସେ ନିଜେ ରୋଜଗାର କରୁଥିଲେ ମଧ୍ୟ ଏକ୍ଷେତ୍ରରେ ଲଜ୍ଜା ଅନୁଭବ କରିନଥାନ୍ତି । କୋର୍ଟ ବାହାରେ ସଶକ୍ତିକରଣ ନାରା ଦେଇ ଆଗକୁ ବଢ ଓ କାହା ଉପରେ ନିର୍ଭର କରନାହିଁ ବୋଲି ଭାଷଣ ଦିଅନ୍ତି । ତେଣୁ ଏହା କ’ଣ ସଶକ୍ତିକରଣ ବୋଲି ପ୍ରଶ୍ନ କରିଛନ୍ତି ଜାଗୃତି ଶୁକ୍ଳା ।

Spread the love