ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସହ ପଛୁଆ ଜାତି, ଅନୁସୂଚିତ ଜାତି ଓ ଜନଜାତିଙ୍କ ସମସ୍ୟା ହେବ ଝାରସୁଗୁଡା ଉପନିର୍ବାଚନର ମୁଖ୍ୟ ପ୍ରସଙ୍ଗ- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର – ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସହ ପଛୁଆ ଜାତି, ଅନୁସଚିତ ଜାତି ଓ ଜନଜାତିଙ୍କ ସମସ୍ୟାକୁ ଝାରସୁଗୁଡା ଉପନିର୍ବାଚନର ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଝାରସୁଗୁଡା ଉପନିର୍ବାଚନରେ ଦଳୀୟ ପ୍ରସଙ୍ଗ କ’ଣ ରହିବ, ସେ ସମ୍ପର୍କୀତ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ ଝାରସୁଗୁଡା ଉପନିର୍ବାଚନ ଯେଉଁଥିପାଇଁ ହେଉଛି, ତାହା ହିଁ ଦଳର ମୂଳ ପ୍ରସଙ୍ଗ ହେବ । ଦିବାଲୋକରେ ଓଡ଼ିଶା ସରକାରଙ୍କ ପୋଲିସ ଅଧିକାରୀଙ୍କ ଗୁଳିରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ମୃତ୍ୟୁ ହେଲା । ଏହାର କିଛି ମାସ ପରେ ଝାରସୁଗୁଡାରେ ନାବାଳକର ଅପହରଣ ସହ ହତ୍ୟା କରାଗଲା । ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ପଡିଛି ।

ଗରିବ ଲୋକର ହିତ ଓ ସ୍ୱାର୍ଥକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର । ପଛୁଆ ଜାତି, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ସବୁଠୁ କ୍ଷତିରେ ଅଛନ୍ତି । ଏହା ହିଁ ଓଡ଼ିଶାର ମୂଳ ପ୍ରସଙ୍ଗ । ଏ ସବୁ ନିର୍ବାଚନରେ ପ୍ରସଙ୍ଗ ହେବ ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପି ଗତକାଲି ପ୍ରାର୍ଥୀ ଘୋଷଣା କରିଛି । ଟଙ୍କଧର ତ୍ରିପାଠୀ ହେଉଛନ୍ତି ଜଣେ ଦକ୍ଷ ସଂଗଠକ, ଲଢୁଆ ଯୁବ ନେତା । ସେ ରାଜ୍ୟ ସମ୍ପାଦକ ଦାୟିତ୍ୱରେ ଅଛନ୍ତି । ପୂର୍ବରୁ ରାଜ୍ୟ ଯୁବମୋର୍ଚ୍ଚାର ସଭାପତି ଦାୟିତ୍ୱରେ ରହିଥିଲେ । ତାଙ୍କ ଭଳି ଯୁବ ନେତାଙ୍କୁ ଦଳ ପ୍ରାର୍ଥୀ କରିବା ସ୍ୱାଗତଯୋଗ୍ୟ । ଏହି ଉପନିର୍ବାଚନରେ ତିନୋଟି ରାଜନୈତିକ ଦଳ ଯୁବ ନେତାଙ୍କୁ ପ୍ରାର୍ଥୀ କରିବା ଓଡ଼ିଶା ରାଜନୀତି ପାଇଁ ଶୁଭ ଲକ୍ଷଣ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Spread the love