ସମ୍ବଲପୁରରେ ଗତକାଲି ହୋଇଥିବା ଦଙ୍ଗା ଏକ ସୁପରିକଳ୍ପିତ ଷଡଯନ୍ତ୍ର : ମନମୋହନ ସାମଲ

ଭୁବନେଶ୍ୱର, ତା.୧୩/୦୪ : ଗତକାଲି ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ଆୟୋଜିତ ଶୋଭାଯାତ୍ରା ସମ୍ପୃର୍ଣ୍ଣ ଶାନ୍ତିପୁର୍ଣ୍ଣ ଭାବରେ ଯାଉଥିବା ବେଳେ ଯେଉଁ ଭଳି ଭାବରେ କିଛି ଅସାମାଜିକ ମୁସଲମାନ ଲୋକମାନେ ଏହି ଶୋଭାଯାତ୍ରା ଉପରକୁ ପଥର ଫିଙ୍ଗିଲେ, ଖଣ୍ଡାରେ ଆକ୍ରମଣ କରିଲେ, ଲାଠିରେ ବାଡେଇଲେ, ଗାଡି ପୋଡିଲେ ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଓ ନିନ୍ଦନୀୟ । ଘଟଣାରେ ୧୦ରୁ ଅଧିକ ପୋଲିସ ଓ ଶୋଭାଯାତ୍ରାରେ ସାମିଲ ହୋଇଥିବା ହିନ୍ଦୁମାନେ ଆହତ ହୋଇଛନ୍ତି । ଶାନ୍ତିପ୍ରିୟ ଓଡିଶାକୁ କେଉଁ ମାନେ ଅଶାନ୍ତ କରୁଛନ୍ତି ଓ ରାଜ୍ୟ ସରକାର କିଭଳି ନିରବଦ୍ରଷ୍ଠା ସାଜିଛନ୍ତି ଏହା ଏକ ବଡ ପ୍ରଶ୍ନ ବୋଲି ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ଘଟଣାକୁ ୧୨ ଘଂଟା ବିତିସାରିଥିବା ବେଳେ ଏପର୍ଯ୍ୟନ୍ତ କାହିଁକି ରାଜ୍ୟର ଗୃହମନ୍ତ୍ରୀ ଭାବରେ ନିଜେ ମୁଖ୍ୟମନ୍ତ୍ରୀ ଏପ୍ରସଙ୍ଗରେ ପଦୁଟିଏ ହେଲେ ସ୍ପଷ୍ଟିକରଣ ନଦେଇ ଚୁପ ବସିଛନ୍ତି ? ଘଟଣାରେ ପୋଲିସ ବିଭାଗର ବିଫଳତା ଜଳ ଜଳ ଦେଖାଯାଉଛି । ଶୋଭାଯାତ୍ରାର ପୁର୍ବରୁ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ତରଫରୁ ଯେଉଁ ଯେଉଁ ଅଂଚଳ ସାମ୍ପ୍ରଦାୟିକ ଦୃଷ୍ଟିରୁ ସମ୍ବେଦନଶୀଳ ଥିଲା, ଯେଉଁ ଯେଉଁ ଅଂଚଳରେ ଅଘଟଣ ଘଟିବାର ଆଶଙ୍କା ଥିଲା ସେହି ଅଂଚଳରେ ଅଧିକ ପୋଲିସ ମୁତୟନ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରାଯାଇଥିଲା । ହେଲେ ସରକାର କାହିଁକି ସେ ଦିଗ ପ୍ରତି ଦୃଷ୍ଟି ଦେଲେ ନାହିଁ ? ଯେଉଁ ଅଳ୍ପ ସଂଖ୍ୟକ ପୋଲିସ ମୁତୟନ ଥିଲେ ସେମାନେ କେବଳ ନିରବ ଦ୍ରଷ୍ଟା ସାଜିଥିଲେ । ରାଜ୍ୟ ଗୁଇନ୍ଦା ବିଭାଗ କରୁଥିଲା କଣ? କେଉଁ ପରିସ୍ଥିତିରେ ଅନେକ ଘର ଉପରେ ବିପୁଳ ପରିମାଣର ପଥର ଅସାମାଜିକ ମୁସଲିମ ଯୁବକମାନେ ଜମା କରିଲେ ଓ ଗୁଇନ୍ଦା ବିଭାଗ ଏବିଷୟରେ କିଭଳି ଜାଣିପାରିଲା ନାହିଁ ତାହା ବଡ ଆଶ୍ଚର୍ଯ୍ୟ ଜନକ ବୋଲି ଶ୍ରୀ ସାମଲ କହିଛନ୍ତି ।
ରାଜ୍ୟରେ ଏକ ସରକାର ଥିବା ଭଳି ମନେ ହେଉନି । ସରକାର କେବଳ ୧୪୪ ଧାରା ଜାରି କରି ଚୁପ ବସିଯାଇଛନ୍ତି । ଘଟଣାକୁ ୧୨ ଘଂଟା ବିତିସାରିଥିବା ବେଳେ ଦଙ୍ଗାକାରୀଙ୍କ ଭିତରୁ କାହାକୁ ଗିରଫ କରାଯାଇ ନାହିଁ । ଗଣମାଧ୍ୟମରେ ଓ ସାମାଜିକ ଗଣମାଧ୍ୟମରେ ଅନେକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କେଉଁ କେଉଁ ମାନେ ଆକ୍ରମଣ କରୁଛନ୍ତି ତାହା ସ୍ପଷ୍ଟ ଚିହ୍ନା ପଡୁଛି । ତଥାପି ପୋଲିସ ସେମାନଙ୍କୁ ଗିରଫ ନକରିପାରିବା ପଛରେ କାରଣ କଣ ? କଣ ସରକାରୀ ଦଳ ବା ସରକାରଙ୍କ ତରଫରୁ ଦଙ୍ଗାକାରୀମାନଙ୍କୁ ଗିରଫ ନକରିବା ପାଇଁ ପୋଲିସ ଉପରେ ଚାପ ରହିଛି କି ବୋଲି ମନମୋହନ ପ୍ରଶ୍ନ କରିଛନ୍ତି ।
ଶୋଭାଯାତ୍ରାରେ ସାମିଲ ହୋଇଥିବା ହିନ୍ଦୁ ଭାଇମାନଙ୍କର ଶହ ଶହ ବାଇକକୁ ଭାଙ୍ଗିଦିଆଯାଇଛି । ହନୁମାନ ଜୟନ୍ତୀ ସମନ୍ୱୟ ସମିତିର କାର୍ଯ୍ୟକାରୀ ସଭାପତି ଦାମଦୋର କରଙ୍କ ସମେତ ଅନେକ ଏବେବି ସଙ୍କଟାପର୍ଣ୍ଣ ସ୍ଥିତିରେ ଚିକିସ୍ତ୍ରାଧୀନ ଅଛନ୍ତି । ସମ୍ବଲପୁରରେ ବର୍ତମାନ ସାଧାରଣ ଲୋକମାନେ ଆତଙ୍କିତ । ଆସନ୍ତାକାଲି ପବିତ୍ର ହନୁମାନ ଜୟନ୍ତୀ ଅଛି । ତେଣୁ ସରକାର କିଭଳି ଭାବରେ ଆସନ୍ତା କାଲି ସାଧାରଣ ଲୋକମାନେ ଶାନ୍ତିପୁର୍ଣ୍ଣ ଓ ସମ୍ପୃର୍ଣ୍ଣ ସୁରକ୍ଷିତ ଭାବରେ ପବିତ୍ର ହନୁମାନ ଜୟନ୍ତୀ ପାଳନ କରିବେ ସେ ନେଇ ଉଦ୍ୟମ କରନ୍ତୁ । ଯଦି ରାଜ୍ୟ ସରକାରଙ୍କ ଓଡିଶା ପୋଲିସ ଅକ୍ଷମ, ତାହେଲେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ତୁରନ୍ତ ଅନୁରୋଧ କରନ୍ତୁ । ୨୪ ଘଂଟା ଭିତରେ ସମସ୍ତ ଆକ୍ରମଣକାରୀଙ୍କୁ ଗିରଫ କରାଯିବା ସହିତ ଏହି ଘଟଣାର ତଦନ୍ତ ପାଇଁ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଘୋଷଣା କରନ୍ତୁ ବୋଲି ବୋଲି ବିଜେପି ରାଜ୍ୟ ସଭାପତି ଦାବୀ କରିଛନ୍ତି ।

Spread the love