ଆଇପିଏଲ୍‌ରେ ରବିବାର ଡବଲ ହେଡର୍‌: ମୁମ୍ବାଇ-କୋଲ୍‌କାତା, ଗୁଜରାଟ-ରାଜସ୍ଥାନ ମୁହାଁମୁହିଁ

କୋଲ୍‌କାତା/ଅହମଦାବାଦ : ଚଳିତ ସପ୍ତାହର ଶେଷ ଦିନ ରବିବାର ଆଇପିଏଲ୍‌ରେ ଡବଲ୍‌ ହେଡର (୨ଟି ମ୍ୟାଚ୍‌) ମୁକାବିଲା ହେବ। ଅପରାହ୍ଣରେ ଦୁଇ ପୂର୍ବ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ ମୁହାଁମୁହିଁ ହେବେ। ରାତିରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ନିଜ ଘରୋଇ ସହର ଅହମଦାବାଦରେ ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ରୟାଲ୍ସକୁ ଭେଟିବ।

ଆଇପିଏଲ୍‌ର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଦୁଇ ମ୍ୟାଚ୍‌ ହାରିବା ପରେ ଗତ ମ୍ୟାଚ୍‌ରେ ପ୍ରଥମ ବିଜୟ ପାଇଥିଲା। ସଂପ୍ରତି ଏହି ଦଳ ୩ ମ୍ୟାଚ୍‌ରୁ ଗୋଟିଏ ଜିତି ପଏଣ୍ଟ୍‌ ଟେବୁଲର ଶେଷ ଆଡ଼ୁ ଦ୍ବିତୀୟ ସ୍ଥାନରେ ରହିଛି। ରୋହିତ ଶର୍ମା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍‌ ବିଜୟୀ ୬୫ ରନ୍‌ କରିଥିଲେ। କିନ୍ତୁ ତାରକା ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ଶୂନରେ ଆଉଟ୍‌ ହେବା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଦ୍ରୁ୍ତ ବୋଲିଂ ଭାର ଜାସନ ବେହେରନଡର୍ଫ ଓ ରିଲି ମେରେଡିଥଙ୍କ କାନ୍ଧରେ ରହିବ। ସ୍ପିନର ପୀୟୂଷ ଚାୱଲାଙ୍କଠୁ ଦଳ ପୂର୍ବ ମ୍ୟାଚ୍‌ ଭଳି ଫର୍ମ ଆଶା ରଖିଛି। କେକେଆର୍‌ ବିପକ୍ଷରେ ଯୁବ ଖେଳାଳି ଟିମ୍‌ ଡେଭିଡ, କାମେରୁନ ଗ୍ରିନ, ତିଲକ ବର୍ମା ଓ ଈଶାନ କିଶନଙ୍କଠାରୁ ମଧ୍ୟ ଦଳ ବଡ଼ ସ୍କୋର୍‌ ଆଶା ରଖିଛି।

ଅନ୍ୟପକ୍ଷରେ କେକେଆର୍‌ ଚଳିତ ଆଇପିଏଲ୍‌ରେ ୪ ମ୍ୟାଚ୍‌ ଖେଳି ୨ଟି ଜିତି ୨ଟିରେ ହାରିଛି। ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସଠୁ ହାରିବା ପରେ ଏହି ଦଳ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ରୟାଲ୍ସ ଚ୍ୟାଲେଞ୍ଜର୍ସ ‌ବାଙ୍ଗାଲୋର ଓ ଟାଇଟନ୍ସକୁ ମାତ୍‌ ଦେଇଥିଲା। ହେଲେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଗତ ମ୍ୟାଚ୍‌ରେ କିନ୍ତୁ କେକେଆର୍‌ ହାରିଯାଇଥିଲା। ଟାଇଟନ୍ସ ବିପକ୍ଷରେ ଅବିସ୍ମରଣୀୟ ବିଜୟ ଦେଇଥିବା ଦଳର ଯୁବ ବ୍ୟାଟର୍‌ ରିଙ୍କୁ ସିଂହ ଗତ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରିଥି‌ଲେ। ‌୭ ନମ୍ବରରେ ବ୍ୟାଟିଂକୁ ଆସି ବିସ୍ଫୋରକ ଖେଳୁଥିବା ରିଙ୍କୁ ଗତକାଲି ମୁମ୍ବାଇ ପାଇଁ ସତର୍କ ଘଣ୍ଟି ହେବେ। ଅଧିନାୟକ ନୀତୀଶ ରାଣା, ଭେଙ୍କଟେଶ ଆୟର, ରହମନୁଲ୍ଲା ଗୁରବାଜ ଓ ଶାର୍ଦୁଳ ଠାକୁର ମଧ୍ୟ ଭଲ ରନ୍‌ କରିଛନ୍ତି। ‌ତେବେ ଏହି ଦଳର ତାରକା ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ ବ୍ୟାଟ୍‌ରେ ନିଜର କମାଲ ଦେଖାଇ ପାରିନାହାନ୍ତି। ବୋଲିଂରେ ଦୁଇ ସ୍ପିନର ସୁନିଲ ନାରାୟଣ ଓ ବରୁଣ ଚକ୍ରବର୍ତ୍ତୀ ଏକାଠି କେକେଆର୍‌ ପାଇଁ ୱିକେଟ୍‌ ନେଉଛନ୍ତି।

ରାତିରେ ଅହମଦାବାଦରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ରାଜସ୍ଥାନକୁ ଟାଇଟନ୍ସ ଭାରି ପଡ଼ିବାର ସମ୍ଭାବନା ରହିଛି। କାରଣ ଉଭୟ ଦଳ ପୂର୍ବରୁ ୩ ଥର ମୁହାଁମୁହିଁ ହୋଇଥିଲା ବେଳେ ହାର୍ଦିକ ପାଣ୍ଡ୍ୟାଙ୍କ ଟାଇଟନ୍ସ ସବୁତକ ଜିତିଛି। ହେଲେ ଆସନ୍ତାକାଲି ରୟାଲ୍ସ ଏହି ଧାରା ଭାଙ୍ଗି ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ। ଗତ ସଂସ୍କରଣରେ ପଦାର୍ପଣ କରିଥିବା ଟାଇଟନ୍ସ ଫାଇନାଲ୍‌ରେ ରୟାଲ୍ସକୁ ସହଜରେ ହରାଇ ଟ୍ରଫି ଜିତି ନେଇଥିଲା। ଚଳିତ ଋତୁରେ ଟାଇଟନ୍ସ ୪ ମ୍ୟାଚ୍‌ରୁ ୩ ଜିତି ଟେବୁଲର ତୃତୀୟରେ ରହିଥିଲା ବେଳେ ରୟାଲ୍ସ ସମାନ ମ୍ୟାଚ୍‌ ଓ ସମାନ ବିଜୟ ପାଇଥିଲା ବେଳେ ରନ୍‌ ରେଟ୍‌ରେ ଆଗରେ ଶୀର୍ଷ ସ୍ଥାନ ଦଖଲ କରିଛି। ଏପର୍ଯ୍ୟନ୍ତ ଉଭୟ ଦଳର ବ୍ୟାଟିଂ ଓ ବୋଲିଂରେ ସମାନତା ରହିଛି। ହେଲେ ଟାଇଟନ୍ସ ପୂର୍ବରୁ ରୟାଲ୍ସ ବିପକ୍ଷରେ ସବୁ ମ୍ୟାଚ୍‌ ଜିତିଥିବାରୁ ଦୃଢ଼ ମନୋବଳରେ ରହିବ। ରୟାଲ୍ସ ପ୍ରାରମ୍ଭିକ ବ୍ୟାଟର୍‌ ଯଶସ୍ବୀ ଜୟସ୍ବାଲ, ଜୋସ ବଟଲର ଓ ସଂଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଦଳ ପାୱାର ପ୍ଲେରେ ବଡ଼ ସ୍କୋର୍‌ କରିପାରିଛି। ମଧ୍ୟଭାଗରେ ଦେବଦତ୍ତ ପଡ଼ିକଲ, ରବିଚନ୍ଦ୍ରନ ଅଶ୍ବିନ, ସିମ୍ରନ ହେଟମେୟର ଓ ଜାସନ ହୋଲ୍‌ଡରଙ୍କୁ ନେଇ ଦଳର ବ୍ୟାଟିଂ ଲାଇନ୍‌ଅପ୍‌ ସୁଦୃଢ଼ ରହିଛି। ବୋଲିଂରେ ଆଦାମ ଜାମ୍ପା, ଅଶ୍ବିନ ଓ ୟୁଝବେନ୍ଦ୍ର ଚହଲଙ୍କ ପରି ବିଶ୍ବସ୍ତରୀୟ ସ୍ପିନର ରହିଛନ୍ତି। ଏହି ୩ ଜଣ ଗତ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟର୍‌ଙ୍କୁ ବାନ୍ଧି ରଖିଥିଲେ।

ଅନ୍ୟପକ୍ଷ‌ରେ ଟାଇଟନ୍ସ ଏହାର ଅଧିନାୟକ ପାଣ୍ଡ୍ୟା, ଡେଭିଡ ମିଲର, ଶୁବମନ ଗିଲ ଓ ସାଇ ସୁଦର୍ଶନଙ୍କୁ ନେଇ ବ୍ୟାଟିଂକ୍ରମକୁ ଦୃଢ଼ ରଖିଥିଲା ବେଳେ ଅଲ୍‌ରାଉଣ୍ଡର ବିଜୟ ଶଙ୍କର ଓ ମୋହିତ ଶର୍ମା ମଧ୍ୟ ଭଲ ଖେଳୁଛନ୍ତି। ଶଙ୍କର କେକେଆର୍‌ ବିପକ୍ଷରେ ୨୪ ବଲ୍‌ରେ ୬୩ ରନ୍‌ କରିଥିଲେ। ହେଲେ ରିଙ୍କୁ ସିଂହଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଦଳ ହାରି ଯାଇଥିଲା।

Spread the love