ଏପ୍ରିଲ ୨୧ରେ ନାମାଙ୍କନ ଯାଞ୍ଚ ପରେ ପ୍ରଚାର କରିବେ ରାଜନୈତିକ ଦଳ

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ସରିଛି। ଆସନ୍ତାକାଲି (ଶୁକ୍ରବାର) ନାମାଙ୍କନ ଯାଞ୍ଚ ପରେ ସମସ୍ତ ରାଜନୈତିକ ଦଳ ବିଦ୍ଧିବଦ୍ଧ ଭାବେ ପ୍ରଚାର ଆରମ୍ଭ କରିବେ। ନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବ କରି ଉଭୟ ବିଜେପି ଓ ବିଜେଡି ତାଙ୍କ ବଳ ଯୋଗାଡ କରୁଥିବା ବେଳେ କଂଗ୍ରେସ ମିଶ୍ରଣ ପର୍ବ କରି ଲୋକଙ୍କ ପାଖକୁ ଯିବାକୁ ରଣନୀତି ପ୍ରସ୍ତୁତ କରୁଛି।

ଝାରସୁଗୁଡା ଉପନିର୍ବାଚନ ପାଇଁ ମୋଟ ୧୪ ଜଣ ପ୍ରାର୍ଥୀ ଦାଖଲ କରିଛନ୍ତି। ହେଲେ କୌଣସି ରାଜନୈତିକ ଦଳ ନିର୍ବାଚନ ପ୍ରଚାର ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ କରିନାହାନ୍ତି। କିନ୍ତୁ ନିଜ ନିଜ ଦଳ ପାଇଁ ବଳ ଗୋଟାଇବା ଆରମ୍ଭ କରିଦେଇଛନ୍ତି। ଗୋଟିଏ ପଟେ ବିଜେପି ପକ୍ଷରୁ ବରଗଡ ସାଂସଦ ସୁରେଶ ପୂଜାରୀ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଆଜି ଝାରସୁଗୁଡ଼ା ସହର ବିଭିନ୍ନ ୱାର୍ଡର ବିଭିନ୍ନ ଦଳର କର୍ମୀମାନଙ୍କୁ ସାମିଲ କରି ନିଜର ସଂଗଠନକୁ ମଜବୁତ୍ କରିବାରେ ଲାଗିଚି ବିଜେପି। ଅନ୍ୟପଟେ କେନ୍ଦ୍ର ସରକାର ସରକାର ଝାରସୁଗୁଡା ଜିଲ୍ଲାରେ କରିଥିବା ବିକାଶମୂଳକ କାର୍ଯ୍ୟ ବନାମ ରାଜ୍ୟ ସରକାର କରିଥିବା କାମକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନୀ ମଇଦାନକୁ ଓହ୍ଲାଇବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ଅନ୍ୟପଟେ କଂଗ୍ରେସ ତାର ପୁରୁଣାଗଡ଼କୁ ଫେରି ପାଇବାକୁ ଉଦ୍ୟମ ଆରମ୍ଭ କରିଦେଇଛି। ଝାରସୁଗୁଡା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଏକ କର୍ମୀ ସମ୍ମିଳନୀ କରି ଗଡକୁ ସୁଧାରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି କଂଗ୍ରେସ ତାର କର୍ମୀ ସମ୍ମିଳନୀ କରି ଆଗାମୀ ଉପ ନିର୍ବାଚନ ପାଇଁ ରୋଡ ମେପ ପ୍ରସ୍ତୁତ କରିଥିବା ବେଳେ ଆଗାମୀ ଉପ ନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି, ବେରୋଜଗାରି ସମସ୍ୟା, ସ୍ଥାନୀୟ ନିଯୁକ୍ତିକୁ ମୁଖ୍ୟ ପ୍ରସଂଗ କରି ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଗାଁକୁ ଗାଁ ବୁଲି ମିଶ୍ରଣ ପର୍ବ ଅନୁଷ୍ଠିତ କରୁଛି ବିଜେଡି। ଝାରସୁଗୁଡା ନିର୍ବାଚନ ମଣ୍ଡଳୀର କୁମୁଡାପାଲି ଠାରେ ଦୀପାଳି ଦାସଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ମିଶ୍ରଣରେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୁଖୀ କାର୍ଯ୍ୟ ତଥା ସ୍ବର୍ଗତ ନବଦାସଙ୍କ ଲୋକପ୍ରିୟତାରେ ଆକୃଷ୍ଟ ହୋଇ ଆଜି ଏହି କର୍ମୀମାନେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ଯାହା ବିଜୁ ଜନତା ଦଳର ଶକ୍ତିକୁ ଆହୁରି ବୃଦ୍ଧି କରିଛି ବୋଲି ଦୀପାଳି ଦାସ କହିଛନ୍ତି। ଆଜି ଦୀପାଳି କୁମୁଡାପାଲି ଆସି କୁମୁଡାପାଲିସ୍ଥିତ ମା ଦୁର୍ଗାଙ୍କ ମନ୍ଦିରରେ ଦର୍ଶନ କରିବାପରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଆଗମୀ ଉପନିର୍ବାଚନରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୁ ଜନତା ଦଳକୁ ବିଜୟୀ କରାଇବା ପାଇଁ ଅନୁରୋଧ କରିଥିଲେ। ସ୍ବର୍ଗତ ନବଦାସ ଯେପରି ସବୁବେଳେ ଲୋକଙ୍କ ସୁଖଦୁଃଖରେ ଛିଡା ହେଉଥିଲେ। ସେ ମଧ୍ୟ ସବୁବେଳେ ଲୋକଙ୍କୁ ସହ ଛିଡା ହେବେ ବୋଲି କହିଥିଲେ। ସ୍କୁଟନି ପରେ ବିଜୁ ଜନତା ଦଳ ପକ୍ଷରୁ ଡୋର ଟୁ ଡୋର କେମ୍ପେନିଂରେ ବାହାରିବେ ବୋଲି ଦୀପାଳି କହିଛନ୍ତି।

Spread the love