ଆଜି ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲରେ ବସିବ ପିଟିଏମ୍‌

ଭୁବନେଶ୍ୱର : ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲଗୁଡ଼ିକ ପାଇଁ ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ଏପ୍ରିଲ ୨୧(ଶୁକ୍ରବାର)ଠାରୁ ରାଜ୍ୟର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପରେ ହିଁ ସ୍କୁଲଗୁଡ଼ିକ ଖୋଲିବ। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ଯୋଗୁଁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି। ରାଜ୍ୟର କେତେକ ସହରର ତାପମାତ୍ରା ଦେଶର ସର୍ବାଧିକ ତାପମାତ୍ରା ରହୁଥିବା ସହରଗୁଡ଼ିକ ତାଲିକାରେ ରହୁଛି। ତେଣୁ ପିଲାଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ଏପ୍ରିଲ ୨୧ରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩-୨୪ ଶିକ୍ଷାବର୍ଷର ପ୍ରଥମ ଅଭିଭାବକ-ଶିକ୍ଷକ ବୈଠକ(ପିଟିଏମ୍‌) ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ସକାଳ ୬ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦ ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ ସମସ୍ତ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି), ସ୍କୁଲ ପରିଚାଳନା ଓ ଉନ୍ନୟନ କମିଟି(ଏସ୍‌ଏମ୍‌ଡିସି) ସଦସ୍ୟ ଯୋଗଦେବେ। ଅଭିଭାବକମାନେ ଉକ୍ତ ବୈଠକକୁ ଛାତ୍ରଛାତ୍ରୀଙ୍କୁ ନ ଆଣିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

କଲ୍‌ ସେଣ୍ଟର ଖୋଲିବ। ଏହି ସେଣ୍ଟର ଜିଲ୍ଲାସ୍ତରରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦ୍ୱାରା ପରିଚାଳିତ ହେବ। ଛାତ୍ରଛାତ୍ରୀ ‘ଅବକାଶ ଗୃହ କାର୍ଯ୍ୟ’ ସମ୍ବନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ, ଫୋନ୍‌ କରି ସହାୟତା ନେଇପାରିବେ।

ଗ୍ରୀଷ୍ମ ଛୁଟି ପରେ ଏବେ ଅଧିକାଂଶ ଘରୋଇ ବିଦ୍ୟାଳୟ ଅନ୍‌ଲାଇନ୍‌ କ୍ଲାସ ଉପରେ ଗୁରୁତ୍ବ ଦେଇଛନ୍ତି। ପିଲାମାନଙ୍କ ଶିକ୍ଷାବର୍ଷ ‌ଯେପରି ପ୍ରଭାବିତ ନ ହେବ, ଛାତ୍ରଛାତ୍ରୀ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ରାଜ୍ୟର ପ୍ରମୁଖ ଘରୋଇ ସ୍କୁଲ ଅନ୍‌ଲାଇନ୍‌ କ୍ଲାସର ରୂପରେଖ ପ୍ରସ୍ତୁତ କରିଛନ୍ତି। ସପ୍ତାହର କେଉଁ ଦିନ କେଉଁ ବିଷୟରେ କେତେ ସମୟ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ ସେନେଇ ତାଲିକା ପ୍ରସ୍ତୁତ ସହ ଅଭିଭାବକଙ୍କୁ ଅବଗତ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଅଭିଭାବକମାନେ ସ୍ବାଗତ କରିଥିବା ବେଳେ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଚାଲୁ ରଖିବାକୁ ଦାବି କରାଯାଇଛି।

Spread the love