ଜାମ୍ମୁ ଓ କାଶ୍ମୀରରେ ସେନାର ଗାଡ଼ି ଉପରକୁ ଆକ୍ରମଣ ଘଟଣା: ୫ ଯବାନଙ୍କ ସମେତ ଓଡ଼ିଆ ପୁଅ ସହିଦ

ଜମ୍ମୁରେ ସହିଦ ୫ ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ । ସହିଦ୍‌ ଯବାନ ଦେବାଶିଷ ବିଶ୍ୱାଳଙ୍କ ଘର ପୁରୀ ଜିଲ୍ଲାରେ । ସତ୍ୟବାଦୀ ବ୍ଳକ୍‌ ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିରେ ଦେବାଶିଷଙ୍କ ଘର।

ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ ଅଳଗୁମ ଗ୍ରାମର ଖଣ୍ଡାୟତସାହି ନିବାସୀ ପ୍ରତାପ ବିଶ୍ବାଳ ଓ ମମତା ବିଶ୍ବାଳଙ୍କ ପୁଅ ଦେବାଶିଷ ବିଶ୍ବାଳ ଜମ୍ମୁକଶ୍ମୀରରେ ମୁତୟନ ଥିଲେ। ଗତକାଲି ସେ ସାଥୀ ଯବାନଙ୍କ ସହିତ ସେନା ଟ୍ରକରେ ଭିମ୍ବର ଗଲିରୁ ପୁଞ୍ଚକୁ ଯାଇଥିବାବେଳେ ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହୋଇଥିଲେ। ୨୦୨୧ ମସିହା ଅକ୍ଷୟ ତୃତୀୟାରେ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ବିବାହ କରିଥିଲେ ଦେବାଶିଷ । ତାଙ୍କର ଜଣେ ୭ ମାସର କନ୍ୟା ସନ୍ତାନ ରହିଛି ।

ରିପୋର୍ଟ ଅନୁସାରେ ଜମ୍ମୁ-କଶ୍ମୀରର ପୁଞ୍ଚରେ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ଗୋଟିଏ ଟ୍ରକ୍‌ରେ ଯାଉଥିଲା। ଟ୍ରକଟି ଭିମ୍ବେର ଗଳି ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ। ଏହାପରେ ଗ୍ରେନେଡ ମାଡ଼ ଯୋଗୁ ଟ୍ରକ୍‌ରେ ନିଆଁ ଲାଗି ଯାଇଥିଲା।

ଆତଙ୍କବାଦୀମାନେ ଲଗାଣ ବର୍ଷା ଓ ଲୋ ଭିଜିବିଲିଟିର ସୁଯୋଗ ନେଇ ସେନା ଟ୍ରକ୍‌ ଉପରେ ହମଲା କରିଥିଲେ। ଗ୍ରେନେଡ ମଧ୍ୟ ମାଡ଼ କରିଥିଲେ। ଟ୍ରକରେ ନିଆଁ ଲାଗି ଯିବାରୁ ରାଷ୍ଟ୍ରୀୟ ରାଇଫଲ୍ସର ୫ ଯବାନ ସହିଦ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ଗୁରୁତର ଯବାନଙ୍କୁ ରାଜୌରୀ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।

Spread the love