ସରକାରଙ୍କ ସହ ବଦଳିଛି ଉତ୍ତରପ୍ରଦେଶ, ପାର୍ଥକ୍ୟ ଗଣାଇଲେ ଯୋଗୀ

ଲକ୍ଷ୍ନୌ: ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା ବଢ଼ାଇଛି ଏନକାଉଣ୍ଟର। କ୍ଷମତାକୁ ଆସିବା ପରଠାରୁ ସେ ବଡ଼ ବଡ଼ ଅପରାଧୀଙ୍କୁ ଉଚିତ୍ ଦଣ୍ଡ ଦେଇଥିବା ବେଳେ ଏବେ ଚାରିଆଡେ ଯୋଗୀଙ୍କ ପ୍ରଶଂସା ହେବାରେ ଲାଗିଛି। ରାଜ୍ୟରେ ଆଇନ ବ୍ୟବସ୍ଥା ସୁଧୁରିଥିବା ସହ ଏବେ ଲୋକେ ୟୁପିରେ ଅପରାଧ କରିବାକୁ ଡରୁଛନ୍ତି। ରାଜ୍ୟର ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ରାଜ୍ୟରେ ଭିନ୍ନ ଭିନ୍ନ ଧର୍ମର ଲୋକ ରହୁଥିଲେ ବି ସମସ୍ତେ ଶାନ୍ତିରେ ଅଛନ୍ତି। ଏବେ ଦଙ୍ଗା ନାହିଁ। ଆଜି ଇଦ୍, କିନ୍ତୁ କୌଣସି ସ୍ଥାନରେ କେହି ବି ରାସ୍ତାରେ ନମାଜ ପଢ଼ୁ ନାହାନ୍ତି ବରଂ ସମସ୍ତେ ମସଜିଦରେ ନମାଜ ପଢ଼ୁଛନ୍ତି। ବର୍ତ୍ତମାନ ଆଜମଗଡରେ ଆଉ ଭୟ ନାହିଁ, ଅରାଜକତା ନାହିଁ। ଉଦବେଗ ଆଜି ଉତ୍ସବରେ ପରିଣତ ହୋଇଛି। ଅଯୋଧ୍ୟାରେ ଦୀପୋତ୍ସଭ ଆୟୋଜନ କରାଯାଉଛି। କାଶୀରେ ଦେବ-ଦୀପାବଳି କରାଯାଉଛି। ସବୁ ଉତ୍ସବକୁ ସମସ୍ତେ ଖୁସି ହୋଇ ପାଳନ କରୁଛନ୍ତି। ଏହା ପୂର୍ବରୁ କୁହାଯାଉଥିଲା ଯେ ୟୁପିରେ ଆଇନ ଶୃଙ୍ଖଳା ସ୍ଥିତି ଭଲ ନାହିଁ। କିନ୍ତୁ ବର୍ତ୍ତମାନ କୌଣସି ମାଫିଆ ରାଜ୍ୟରେ କାହାକୁ ଧମକ ଦେଇ ପାରିବେ ନାହିଁ। ବର୍ତ୍ତମାନ ରାଜ୍ୟର କୌଣସି ସ୍ଥାନରେ ଦଙ୍ଗା ହେବନାହିଁ। କାରଣ ବର୍ତ୍ତମାନ ରାଜ୍ୟରେ ଆଇନର ରାଜ୍ ଚାଲିଛି।

ଏହା ପୂର୍ବରୁ ଯୋଗୀ କହିଥି‌ଲେ ଯେ, ଉତ୍ତରପ୍ରଦେଶରେ ପୂର୍ବରୁ ଅନେକ ଦଙ୍ଗା ହୋଇଛି। କେବଳ କିଛି ଜିଲ୍ଲାର ନାଁ ନେଲେ ଲୋକ ଭୟ କରନ୍ତି। କିନ୍ତୁ ଏବେ ଆଉ ଭୟ କରିବାର କିଛି କାରଣ ନାହିଁ। ପୂର୍ବର ସମାଜବାଦୀ ପାର୍ଟି ସରକାର ଉପରେ ବର୍ଷି ଯୋଗୀ କହିଛନ୍ତି, ରାଜ୍ୟରେ ୨୦୧୨ରୁ ୨୦୧୭ ମଧ୍ୟରେ ୭୦୦ରୁ ଅଧିକ ଦଙ୍ଗା ହୋଇଛି। କିନ୍ତୁ ୨୦୧୭ରୁ ୨୦୨୩ ମଧ୍ୟରେ ଗୋଟିଏ ବି ଦଙ୍ଗା ନାହିଁ । ଏବେ ଆଉ ପୂର୍ବ ଭଳି ସ୍ଥିତି ନାହିଁ। ଉତ୍ତରପ୍ରଦେଶରେ ଏବେ ଆଇନ ଶୃଙ୍ଖଳା ସ୍ଥିତି ଠିକ୍‌ ଅଛି ବୋଲି ଯୋଗୀ କହିଛନ୍ତି।

Spread the love