ଉଦଘାଟିତ ହେଲା ସି-୨୦ ସମ୍ମିଳନୀ: ଡ.ଅଚ୍ୟୁତ ସାମନ୍ତ କହିଲେ ମହିଳାମାନଙ୍କୁ ସଶକ୍ତ କଲେ ଦେଶ ପ୍ରଗତି କରିବ

ମହିଳାଙ୍କୁ ଯେତେ ପରିମାଣରେ ସମ୍ମାନ ଓ ସଶକ୍ତ କରିବା ସେତେ ପରିମାଣରେ ଆମେ ନିଜକୁ ଗୌରବାନ୍ଵିତ ମନେକରିବା ବୋଲି କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଛନ୍ତି। ଆଜି କିଟ୍‌ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସି-୨୦ ଲିଙ୍ଗଗତ ସମାନତା ଓ ଦିବ୍ୟାଙ୍ଗ କାର୍ଯ୍ୟକାରୀ ଗୋଷ୍ଠୀ ସମିଟ୍‌ରେ ଅତିଥି ଭାବେ ଯୋଗଦେଇ ଡ. ସାମନ୍ତ କହିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ସରକାର ମହିଳାମାନଙ୍କୁ ବିଭିନ୍ନ ବାଟରେ ସମ୍ମାନିତ ଓ ସଶକ୍ତ କରିଆସୁଛନ୍ତି। ସେ କହିଲେ, ଏଭଳି ସମ୍ମାନଜନକ ସମ୍ମିଳନୀ ଆୟୋଜନ କରିବାର ପ୍ରକୃଷ୍ଟ ସ୍ଥାନ ହେଉଛି କିଟ୍‌। କାରଣ କିଟ୍‌ ଓ କିସ୍‌ ପ୍ରତିଷ୍ଠା ହେବା ଦିନଠାରୁ ମହିଳାଙ୍କୁ ସମ୍ମାନ ଓ ସଶକ୍ତ କରିବା ଦିଗରେ କାର୍ଯ୍ୟ କରିଆସୁଛି।

ଆମେ ମହିଳାମାନଙ୍କୁ ଯେତେ ସମ୍ମାନ ଦେବା ଓ ସଶକ୍ତ କରିବା ଆମର ପରିବାର, ସମାଜ,ରାଜ୍ୟ ଓ ଦେଶ ସେତେ ପ୍ରଗତି କରିବ ବୋଲି ଡ. ସାମନ୍ତ କହିଥିଲେ। ଅନ୍ୟପକ୍ଷରେ ଦିବ୍ୟାଙ୍ଗମାନେ ମଧ୍ୟ ଦକ୍ଷତା କ୍ଷେତ୍ରରେ ଜଣେ ସାଧାରଣ ଲୋକଠାରୁ କମ୍‌ ନୁହେଁ। ସେମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରୁଛନ୍ତି। କିଟ୍‌ ଓ କିସ୍‌ରେ ୪ଶହରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗଙ୍କୁ ନିଯୁକ୍ତି ଦେଇଛୁ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭର୍ଚୁଆଲ୍‌ରେ ଯୋଗଦେଇ ସି-୨୦ର ଅଧ୍ୟକ୍ଷ ମାତା ଅମୃତାନନ୍ଦମୟୀ କହିଲେ ସମସ୍ତ ଜୀବଜଗତ ପଞ୍ଚଭୂତରେ ଗଠିତ।

ଏହି ପଞ୍ଚଭୂତ ପ୍ରକୃତିରୁ ଆସିଛି। ତେଣୁ ସମଗ୍ର ବିଶ୍ୱ ଏକ ବୋଲି ଆମର ଉପନିଷଦ୍‌ରେ ବସୁଧୈବ କୁଟୁମ୍ବକମ୍‌ ବୋଲି ଯାହା କୁହାଯାଇଛି ତାହା ଯଥାର୍ଥ ବୋଲି ସେ କହିଥିଲେ। ମାନବ ସମାଜ ଅଧିକ ସଭ୍ୟ ହୋଇଛି। କିନ୍ତୁ ଏବେ ବି ଅନେକ ଦେଶରେ ମହିଳାମାନଙ୍କୁ ଛୋଟ ଦୃଷ୍ଟିରେ ଦେଖାଯାଉଛି ବୋଲି ସେ କହିଥିଲେ। ଆଜି ବିଶ୍ୱରେ ୧୫ରୁ ୧୯ବର୍ଷର ବାଳିକାଙ୍କ ମଧ୍ୟରେ ପ୍ରତି ୪ଜଣରେ ଜଣେ ଶିକ୍ଷାରୁ ବଞ୍ଚିତ ହେଉଥିବା ବେଳେ ଏହି ହାର ପୁରୁଷଙ୍କ କ୍ଷେତ୍ରରେ ୧୦ଜଣରେ ଜଣେ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ମହିଳାମାନେ ସେମାନଙ୍କ ମଧ୍ୟରେ ଆତ୍ମମନୋବଳ ବୃଦ୍ଧି କରିବା ଉଚିତ୍‌ ବୋଲି ସେ କହିଥିଲେ। ସ୍ୱାମୀ ଅମ୍ରିତାସ୍ୱରୂପାନନ୍ଦ କହିଥିଲେ, ଉଭୟ ପୁରୁଷ ଓ ମହିଳା ହେଉଛନ୍ତି ଗୋଟିଏ ପକ୍ଷୀର ଦୁଇଟି ଡେଣା ସଦୃଶ। ତେଣୁ ସବୁ କ୍ଷେତ୍ରରେ ପୁରୁଷଙ୍କ ଭଳି ମହିଳାମାନଙ୍କୁ ସମାନ ସୁବିଧା ଓ ସୁଯୋଗ ଦିଆଯିବା ଉଚିତ। ମହିଳାମାନେ ସେମାନଙ୍କର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାର ନିମନ୍ତେ ବ୍ୟବସ୍ଥିତ ଭାବେ ଦୃଢତାର ସ୍ୱର ଉତ୍ତୋଳନ କରିବାକୁ ପୂର୍ବତନ ରାଷ୍ଟ୍ରଦୂତ ତଥା ପ୍ରମୁଖ ସଂଯୋଜକ (ସେର୍‌ପା) ସି-୨୦ ବିଜୟ କୁମାର ନାମ୍ବିୟାର୍‌ ମହିଳାମାନଙ୍କୁ ଆହ୍ଵାନ ଦେଇଥିଲେ।

ଅନ୍ୟମାନଙ୍କ ପରି ସମ୍ମାନର ସହ ବଞ୍ଚିବା ପାଇଁ ଦିବ୍ୟାଙ୍ଗ ମହିଳାଙ୍କ ଯେଉଁ ଆଶା ରହିଛି ତାହା ପୂରଣ ନିମନ୍ତେ କିପରି ସୁଯୋଗ ସୃଷ୍ଟି ହୋଇପାରିବ ସେ ନେଇ ବିଶ୍ୱ ନେତୃତ୍ୱ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମରିସସ୍‌ର ଲିଙ୍ଗଗତ ସମାନତା ଓ ପରିବାର କଲ୍ୟାଣ ମନ୍ତ୍ରୀ କଳ୍ପନା ଦେବୀ କଞ୍ଜୁ ସାହା କହିଥିଲେ। ୟୁଏନ୍‌ ଏକାଡେମିକ୍‌ ଇମ୍ପାକ୍ଟ, ଇଣ୍ଟରନ୍ୟାସ୍‌ନାଲ ଆଡଭାଇଜରି କମିଟି, ସି-୨୦ର ମୁଖ୍ୟ ରାମୁ ଦାମୋଦରନ୍‌, କିଓର ଭାଇଓଲେନ୍‌ସ ଗ୍ଲୋବାଲ୍‌ର ବିଶ୍ୱ ପରାମର୍ଶଦାତା ତଥା ୱିମେନ୍‌ ଫର୍‌ ଏମ୍ପାୱାରମେଣ୍ଟ, ୟୁଏସ୍‌ର ଅଧ୍ୟକ୍ଷା ନଇଲା ଚୌଧୁରୀ ଏବଂ ମରିସସ୍‌ ଲିଙ୍ଗଗତ ସମାନତା ଓ ପରିବାର କଲ୍ୟାଣ ବିଭାଗ ସ୍ଥାୟୀ ସଚିବ ଫୁଲରାଣୀ ରାମପଦାର୍ଥ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ସଶକ୍ତିକରଣ ଓ ଦିବ୍ୟାଙ୍ଗଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ।

Spread the love