ପ୍ରକାଶ ସିଂହ ବାଦଲଙ୍କ ପ୍ରତି ଶେଷ ସମ୍ମାନ ଜଣାଇବାକୁ ଚଣ୍ଡୀଗଡ଼ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପ୍ରକାଶ ସିଂହ ବାଦଲଙ୍କ ପ୍ରତି ଶେଷ ସମ୍ମାନ ଜଣାଇବା ଲାଗି ଆଜି ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡୀଗଡ଼ ଯିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଶ୍ବାସପ୍ରଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବା କାରଣରୁ ସପ୍ତାହକ ତଳେ ମୋହାଲିସ୍ଥିତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୯୫ ବର୍ଷିୟ ରାଜନୀତିଜ୍ଞ ପ୍ରକାଶ ସିଂହ ବାଦଲ୍‌ଙ୍କର ମଙ୍ଗଳବାର ଦିନ ଦେହାନ୍ତ ‌ହୋଇଯାଇଥିଲା।

ତାଙ୍କ ମୃତ୍ୟୁ ଯୋଗୁଁ ଶୋକବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ରାତିରେ କହିଥି‌ଲେ, ଏଭଳି ବିୟୋଗାନ୍ତ ଘଟଣା ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ। ବାଦଲ୍‌ ଥିଲେ ଭାରତୀୟ ରାଜନୀତିରେ ଜଣେ ବିଶାଳ ବ୍ୟକ୍ତିତ୍ବ। ଜଣେ ପ୍ରବଣୀ ରାଜନୀତିଜ୍ଞ ଭାବେ ଆମ ଦେଶ ପ୍ରତି ତାଙ୍କର ବହୁତ ଅବଦାନ ରହିଛି। ପଞ୍ଜାବର ବିକାଶ ପାଇଁ ସେ ଅକ୍ଳାନ୍ତ ଉଦ୍ୟମ କରିଥିଲେ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ପ୍ରକାଶ ସିଂହ ବାଦଲଙ୍କ ମୃତ୍ୟୁ ମୋ ପାଇଁ ବ୍ୟକ୍ତିଗତ କ୍ଷତି। ଅନେକ ଦଶନ୍ଧି ଧରି ତାଙ୍କ ସହିତ ଭାବବିନିମୟ କରି ତାଙ୍କଠାରୁ ଅନେକ କିଛି ଶିଖିଛି। ତାଙ୍କ ପରିବାରବର୍ଗ ଓ ଅସଂଖ୍ୟ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା।

ବର୍ଷୀୟାନ୍‌ ରାଜନୀତିଜ୍ଞଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ କେନ୍ଦ୍ର ସରକାର ସମଗ୍ର ଭାରତରେ ଆଜିଠାରୁ ଦୁଇଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତରେ ଜାରି କରାଯାଇଥିବା ସରକାରୀ ପ୍ରେସ୍‌ ବିଜ୍ଞପ୍ତିରେ ଉଲ୍ଲେଖ ଅଛି: ନିୟମିତ ଜାତୀୟ ପତାକା ଉଡୁଥିବା ଅଟ୍ଟାଳିକାଗୁଡ଼ିକରେ ଶୋକପାଳନ ଦିନଗୁଡ଼ିକରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରି ଉଡ଼ାଯିବ। ଏ ଦୁଇ ଦିନରେ କୌଣସି ସରକାରୀ ଉତ୍ସବ ପାଳନ କରାଯିବ ନାହିଁ।

Spread the love