କର୍ଣ୍ଣାଟକରେ ପ୍ରାୟ ୧୫ଟି ନିର୍ବାଚନୀ ସମାବେଶରେ ଯୋଗ ଦେବେ ମୋଦୀ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଧାନସଭା ନିର୍ବାଚନକୁ ନେଇ ଏବେ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରଚାର ଅଭିଯାନ ଜୋର ଧରିଛି | ୨୨୪ ଆସନ ବିଶିଷ୍ଠ କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତ ମେ’ ୧୦ ତାରିଖରେ ଭୋଟ୍‌ ଗ୍ରହଣ ହେବ ଏବଂ ମେ’ ୧୩ ତାରିଖରେ ଫଳାଫଳ ଆସିବ। ତେବେ ଇତିମଧ୍ୟରେ ବିଜେପିର ତାରକା ପ୍ରଚାରକ ତାଲିକାରେ ବିଭିନ୍ନ ରାଜ୍ୟର ମୋଟ ୪୦ ବିଜେପି ନେତାଙ୍କ ନାମ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ସଭାପତି ଜେପି ନଡ୍ଡା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କର୍ଣ୍ଣାଟକରେ ବିଜେପିର ପ୍ରମୁଖ ତାରକା ପ୍ରଚାରକ ହୋଇଥିବାବେଳେ ନଡ୍ଡା ଓ ଶାହା ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି | ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଦିନ ମଧ୍ୟରେ ରାଜ୍ୟରେ ପ୍ରାୟ ୧୫ଟି ସାଧାରଣ ସଭା ଏବଂ ରୋଡ୍ ସୋରେ ଭାଗ ନେବେ ।ସୂତ୍ରରୁ ପ୍ରକାଶ ଯେ ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୨୮ରେ ରାଜ୍ୟରେ ପ୍ରଚାର ଆରମ୍ଭ କରିବେ ଏବଂ ଆସନ୍ତା ମେ ୭ ତାରିଖ ପର୍ଯ୍ୟନ୍ତ ଜାରି ରଖିବେ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ରୁ ୧୫ଟି ସାଧାରଣ ସଭା, ସମାବେଶ ଏବଂ ରୋଡ୍ ସୋ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ୨୮ ଏପ୍ରିଲ, ୨୯ ଏପ୍ରିଲ, ମେ ୩, ମେ ୪, ମେ ୬ ଏବଂ ମେ ୭ରେ ପ୍ରଚାର କରିବେ |

ସୂତ୍ର ଅନୁସାରେ, କର୍ଣ୍ଣାଟକ ନିର୍ବାଚନକୁ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନର ସେମିଫାଇନାଲ ଭାବେ ବିବେଚନା କରାଯାଉଛି | ସେଥିପାଇଁ ଅନ୍ୟ ରାଜ୍ୟ ଅପେକ୍ଷା କର୍ଣ୍ଣାଟକ ଉପରେ ବିଜେପି ଅଧିକ ଧ୍ୟାନ ଦେଉଛି। ରାଜ୍ୟରେ ଦ୍ୱିତୀୟ ଥର କ୍ଷମତା ହାସଲ ପାଇଁ ବିଜେପି ଚାହୁଁଛି ଓ ସେଥିପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସେମାନଙ୍କ ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ବେଲଗାଭିରୁ ନିଜର ଅଭିଯାନ ଆରମ୍ଭ କରିବେ।

Spread the love