ସୁଦାନରେ ଭାରତୀୟ ବାୟୁସେନାର ଦୁଃସାହସିକ ଅପରେସନ, ଅନ୍ଧାରରେ ବିମାନ ଓହ୍ଲାଇ ୧୨୧ ଭାରତୀୟଙ୍କୁ ଉଦ୍ଧାର କଲା

ନୂଆଦିଲ୍ଲୀ: ‘ଅପରେସନ କାବେରୀ’ ଅଧୀନରେ ଆଫ୍ରିକୀୟ ଦେଶ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର କରାଯାଉଛି। ଭାରତୀୟ ବାୟୁସେନା ଓ ନୌସେନା ଏପର୍ଯ୍ୟନ୍ତ ୧୩୬୦ ଜଣ ସାଧାରଣ ନାଗରିକଙ୍କୁ ଫେରାଇ ଆଣିଛନ୍ତି । କିନ୍ତୁ ଗତ ରାତିରେ ଭାରତୀୟ ବାୟୁସେନା ସୁଦାନରେ ଏକ ଦୁଃସାହସିକ ଅପରେସନ କରିଛି ।

ଭାରତୀୟ ବାୟୁସେନା ଶୁକ୍ରବାର ସୁଦାନର ସୟଦନା ଆର୍ମି ଏୟାରପୋର୍ଟର ରନୱେରେ ଏକ ହର୍କୁଲିସ୍ ପରିବହନ ବିମାନ ଅବତରଣ କରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅନ୍ଧାରରେ ଅତି ସନ୍ତର୍ପଣରେ ଏହି ବିମାନର ଅବତରଣ କରାଯାଇ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୧୨୧ ଜଣ ଭାରତୀୟନାଗରିକଙ୍କୁ ଉଦ୍ଧାର କରାଯାଇଛି ।
ସୁଦାନର ରାଜଧାନୀ ଖାରତୁମ୍ ଠାରୁ ୨୨ କିଲୋମିଟର ଉତ୍ତରରେ ସୟଦନା ଏକ ସେନା ବିମାନ ବନ୍ଦର । ରିପୋର୍ଟ ଅନୁଯାୟୀ, ଏହି ରନଓ୍ବେରେ ନେଭିଗେସନ୍ ପାଇଁ କୌଣସି ସହାୟତା ମିଳିନଥିଲା। ଆଲୋକ ନଥିଲା। ଇନ୍ଧନର କୌଣସି ବ୍ୟବସ୍ଥା ନଥିଲା। ଉଦ୍ଧାର କାର୍ଯ୍ୟ ସମୟରେ ବାୟୁସେନା ପାଇଲଟମାନେ ନାଇଟ୍ ଭିଜନ ଗଗଲ୍ସ (ରାତିରେ ଦେଖିହେଉଥିବା ଚଷମା) ବ୍ୟବହାର କରିଥିଲେ ।

ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଅପରେସନ୍ କାବେରୀ ଜାରି ରହିଛି । ଭାରତୀୟ ବାୟୁସେନାର ନୌସେନା ଜାହାଜ ଆଇଏନଏସ ସୁମେଧା, ତେଗ, ତାରକାଶ ଏବଂ ସି-୧୩୦ଜେ ବିମାନ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Spread the love