ସମ୍ବଲପୁର ହିଂସା ପୂର୍ବରୁ ସତର୍କ କରାଇଥିଲେ ଗୁଇନ୍ଦା ବିଭାଗ, ସତର୍କତାମୂଳକ ପଦକ୍ଷେପ ନେବାକୁ ଏସ୍‌ପିଙ୍କୁ ଦେଇଥିଲେ ପରାମର୍ଶ

ସମ୍ବଲପୁରରେ ହନୁମାନ ଜୟନ୍ତୀ ପୂର୍ବରୁ ଜିଲ୍ଲା ପୋଲିସ ପ୍ରଶାସନକୁ ସତର୍କ କରାଇଥିଲା ଗୁଇନ୍ଦା ବିଭାଗ। ୧୨ ତାରିଖରେ ହୋଇଥିବା ଗଣ୍ଡଗୋଳ ପୂର୍ବରୁ ସ୍ପେଶାଲ୍‌ ବ୍ରାଞ୍ଚ ଏସପି ସମ୍ବଲପୁର ଏସପିଙ୍କ ନିକଟକୁ ଏଭଳି ସମ୍ଭାବନା ଥିବା ନେଇ ଚିଠି ଲେଖିଥିଲେ। ଦେଶର ବିଭିନ୍ନ ଭାଗରେ ପର୍ବପର୍ବାଣୀ ପାଳନ ବେଳେ ଉତ୍ତେଜନା ଦେଖାଯାଉଥିବାରୁ ଏଥିପ୍ରତି ସତର୍କ ରହିବାକୁ ଚିଠିରେ ସତର୍କ କରାଯାଇଥିଲା। ହନୁମାନ ଜୟନ୍ତୀ ରାଲି ଯେଉଁ ରାସ୍ତାରେ ଯିବା ପାଇଁଁ ସ୍ଥିର ହୋଇଥିଲା ସେହି ରୁଟ ଚାର୍ଟକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଥିଲା। ରୁଟ ଚାର୍ଟ ସହ ସମ୍ଭାବ୍ୟ ସ୍ଲୋଗାନ, ନାରାବାଜି ହୋଇପାରେ ବୋଲି ମଧ୍ୟ ଲେଖା ରହିଥିଲା।

ସାଂପ୍ରଦାୟିକ ସଦଭାବନାରେ ବାଧା ଉପୁଜି ପାରେ ବୋଲି ସତର୍କ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ରକ୍ଷା କରିବାକୁ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ସହ ସ୍ଥିତି ବିଗିଡ଼ିଲେ ନିୟନ୍ତ୍ରଣ କରିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଥିଲା। ଭିଡ଼ ଏଡ଼ାଇବାକୁ ଟ୍ରାଫିକ ବ୍ୟବସ୍ଥାର କ଼ଡା ବନ୍ଦୋବସ୍ତ କରିବାକୁ କୁହାଯାଇଥିଲା। ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କରିବାକୁ କୁହାଯାଇଥିଲା। ସର୍ବୋପରି ସାଂପ୍ରଦାୟିକ ସଦ୍‌ଭାବ ରକ୍ଷା ନେଇ କେନ୍ଦ୍ର ଗୃହମନ୍ତ୍ରାଳୟର ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଚିଠିରେ ଅବଗତ କରାଯାଇଥିଲା।

Spread the love