ମହିଳା କୁସ୍ତିବିତମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏଆଇଡିଏସଓ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀର ଜନ୍ତରମନ୍ତର ଠାରେ ଯୌନ ନିର୍ଯାତନା ବିରୁଦ୍ଧରେ ଆନ୍ଦୋଳନରତ ମହିଳା କୁସ୍ତିବିତମାନଙ୍କ ସମର୍ଥନରେ ଆଜି ଏଆଇଡିଏସଓ ସର୍ବଭାରତୀୟ କମିଟି ଆହ୍ୱାନ କ୍ରମେ ସାରା ଭାରତ ସଂହତି ଦିବସ ପାଳନ ଅବସରରେ ସଂଗଠନର ଭୁବନେଶ୍ୱର ମହାନଗର କମିଟି ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରକାଶଯୋଗ୍ୟ ଯେ, ଭାରତୀୟ କୁସ୍ତି ଫେଡେରେସନ (WFI)ର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂ ମହିଳା କୁସ୍ତିବିତମାନଙ୍କୁ ଯୌନ ଶୋଷଣ କରୁଥିବା ବିରୁଦ୍ଧରେ ଗତ ଜାନୁଆରୀ ମାସରେ ମହିଳା କୁସ୍ତିବିତମାନେ ଆନ୍ଦୋଳନ ସଂଗଠିତ କରିଥିଲେ ଏବଂ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସରକାର କୋୖଣସି ପଦକ୍ଷେପ ଗ୍ରହଣ ନ କରିବାରୁ ୭ ଜଣ ମହିଳା କୁସ୍ତିବିତ ଦିଲ୍ଲୀର ଏକ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ମାମଲା ରୁଜୁ ନ କରିବାରୁ ବାଧ୍ୟହୋଇ କୁସ୍ତିବିତମାନେ ପୂନର୍ବାର ଯନ୍ତରମନ୍ତର ଠାରେ ଧାରଣାରେ ବସିଛନ୍ତି। ମାତ୍ର ଦୁଃଖ ଓ ପରିତାପର ବିଷୟ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପୋଲିସ ଓ ପ୍ରଶାସନ ଗତକାଲି ରାତିରେ କୁସ୍ତିବିତମାନଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିଛି। ଏପରିକି ସାମ୍ବାଦିକମାନେ ମଧ୍ୟ ଏଥିରୁ ବାଦ ପଡ଼ି ନାହାନ୍ତି। ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ଦେଶ ବୋଲାଉଥିବା ଭାରତରେ ଅଲମ୍ପିକ ପଦକ ସହିତ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ପଦକ ଜିତି ସମଗ୍ର ବିଶ୍ଵରେ ନିଜ ଦେଶକୁ ଗୈାରବାନ୍ବିତ କରିଥିବା ଏହି କୁସ୍ତିବିତମାନଙ୍କ ଅବସ୍ଥା ଯଦି ଏପରି ଶୋଚନୀୟ ତେବେ ସାଧାରଣ ମହିଳାମାନଙ୍କର ସ୍ଥିତି ଯେ କେତେ ଭୟଙ୍କର ତାହା ସହଜରେ ଅନୁମେୟ। ଏହି ପରିସ୍ଥିତିରେ ଅବିଳମ୍ବେ କୁସ୍ତି ଫେଡେରେସନର ସଭାପତିଙ୍କୁ ବହିଷ୍କାର କରିବା ସହିତ ତାଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରିବାକୁ ଏଆଇଡିଏସଓ ଭୁବନେଶ୍ୱର ସିଟି କମିଟି ସଭାପତି ନସିମ ସରକାର, ସଂପାଦିକା ସ୍ବସ୍ତି ସଂଗୀତା ଦଳାଇ, ଉପସଭାପତି ଶପ୍ତର୍ଷୀନୀ ରାଉଳ, ତପସ୍ୱିନୀ ନାଏକ, ଅର୍ପିତା ଦେହୁରୀ, ସୋନାଲି ନାଏକ ପ୍ରମୁଖ ଦୃଢ ଦାବି କରିଛନ୍ତି ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

Spread the love