ଓଡ଼ିଶା ପ୍ରତି ବାତ୍ୟା ଭୟ ନଥିଲେ ବି ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆରସି

ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ବତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେ ମତ୍ସଜୀବୀ ଓ ଚାଷୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମତ୍ସଜୀବୀମାନେ ଆସନ୍ତା ୯ ତାରିଖ ଠାରୁ ଛୋଟ ଜାହାଜ, ଡଙ୍ଗା ଓ ଟ୍ରେଲର ନେଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ନଯିବା ପାଇଁ ବାରଣ କରିଛନ୍ତି।

ଏସ୍‌ଆରସି ପକ୍ଷରୁ ଜାରି ହୋଇଥିବା ଚିଠିରେ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ସମ୍ଭାବିତ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀମାନେ ପନିପରିବା, ଉଦ୍ୟାନ କୃଷି, ଅମଳ ହୋଇଥିବା ଫସଲ ତଥା ମଣ୍ଡିରେ ପଡ଼ିଥିବା ଧାନକୁ ସୁରକ୍ଷିତ ରଖନ୍ତୁ। ସେହିପରି ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହାର ଗତିପଥ ସଂପର୍କରେ ପୂର୍ବାନୁମାନ କରାଯାଇଛି। ବିଭାଗର ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୋମବାର କହିଛନ୍ତି ଯେ ଏହି ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାରେ ପରିଣତ ହେବ । କିନ୍ତୁ ଏହା ବାଂଲାଦେଶ ଓ ମିଆଁମାର ଅଭିମୁଖେ ଗତି କରିବାର ସମ୍ଭାବନା ରହିଛି । ଏଣୁ ଓଡ଼ିଶା ପ୍ରତି କୌଣସି ବିପଦର ଆଶଙ୍କା ନାହିଁ।

ଡ. ମହାପାତ୍ର କହିଛନ୍ତି ଯେ ଏହି ଲଘୁଚାପ ଆସନ୍ତାକାଲି (ମଙ୍ଗଳବାର) ସୁଦ୍ଧା ଏକ ଡିପ୍ରେସନରେ ପରିଣତ ହେବ ଓ ଉତ୍ତର ଓ ଉତ୍ତରପଶ୍ଚିମ ଦିଗରେ ଗତି କରିବ। ମେ’ ୧୦ରେ ଏହା ଏକ ସାମୁଦ୍ରିକ ବାତ୍ୟା ରୂପ ନେବ।  ମେ’ ୧୨ ତାରିଖ ସୁଦ୍ଧା ଏହା ଏକ ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ଓ ଏହା ବାଂଲାଦେଶ ଓ ମିଆଁମାର ଆଡ଼କୁ ଗତି କରିବ।

Spread the love