ମୂଲ୍ୟବୋଧ ରାଜନୀତି ଓ ସୁରବାବୁ
(ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କୁ ୮୭ତମ ଜନ୍ମ ଦିବସ (ମେ ୧୭ ତାରିଖ)ର ଶୁଭେଚ୍ଛା)
ସମୟର ସ୍ରୋତରେ ସମାଜରେ ପରିବର୍ତ୍ତନ ଆସିଥାଏ । ପରିବର୍ତ୍ତନକୁ ସ୍ୱୀକାର କରି ନୈତିକ ମୂଲ୍ୟବୋଧ ଓ ମାନବିକତାକୁ ଅତୁଟ ରଖି ନିଜକୁ ସମାଜସେବାରେ ନିୟୋଜିତ କରିଥିବା ଆମ ଓଡ଼ିଶା ମାଟିର ଅନ୍ୟତମ ନୀତିନିଷ୍ଠ, ସାହସୀ ଓ ମହାନୁଭବି ନେତା ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ନାୟକ । ସେ ବହୁବାର ଓଡ଼ିଶା ସରକାରଙ୍କ ମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ଜନମାନସରେ ସ୍ପଷ୍ଟ, ସ୍ୱଚ୍ଛ ଓ ସରଳ ରାଜନେତା ଭାବରେ ସେ ବେଶ୍ ଜଣାଶୁଣା ବ୍ୟକ୍ତିତ୍ୱ ।
ସେ ଜନତା ଜନାର୍ଦ୍ଦନଙ୍କ ସମସ୍ୟାର ଆଶୁ ସମାଧାନ ଓ ରୋଗୀ ସେବାକୁ ସଦାସର୍ବଦା ଗୁରୁତ୍ୱ ଦିଅନ୍ତି । ଆଜି ତାଙ୍କର ଏହି ୮୭ତମ ଜନ୍ମ ଦିବସ ଅବସରରେ ତାଙ୍କର ସୁଦୂର ପ୍ରସାରୀ ଲେଖନୀ ମୁନରୁ ପଦୁଟିଏ ଉଦ୍ଧୃତ କରିବା ଉଚିତ୍ ମନେ କରାଯାଉଛି । ତାଙ୍କ ଲେଖନୀ ମୁନରୁ ପଦୁଟିଏ- “ବ୍ୟକ୍ତିବିଶେଷଙ୍କ କର୍ତ୍ତବ୍ୟ ନିର୍ଦ୍ଧାରଣରେ ଦ୍ୱନ୍ଦ୍ୱକୁ ଲକ୍ଷ୍ୟ କରି ଗାନ୍ଧିଜୀ କହିଥିଲେ ଯେ ପ୍ରତ୍ୟହ ପ୍ରାତଃକାଳରେ ତୁମ ଆଖି ଆଗରେ ପଡ଼ୁଥିବା ଦୁଃସ୍ଥ ଲୋକଟିକୁ ନିରୀକ୍ଷଣ କରି ତୁମେ ଭାବୁଥିବା କାର୍ଯ୍ୟ ସେହି ଦୁଃସ୍ଥ ଲୋକଟିର ମୁହଁରେ ହସ ଫୁଟାଇବାରେ ସହାୟକ ହେବ କି ବୋଲି ଚିନ୍ତା କର । ତେବେ ସମାଜର ଦୁଃଖ ଦୂର ହେବା ସହିତ ନିଜେ ସୁଖୀ ହେବ । ତେଣୁ ଗାନ୍ଧିଜୀଙ୍କର ଏହି ଉପଦେଶ ସମସ୍ତଙ୍କର ଧ୍ୟେୟ ହେବା ଉଚିତ୍ ।
ପୁରୀ ଜିଲ୍ଲା ଅସ୍ତରଙ୍ଗ (କୁହୁଡ଼ି) ଠାରେ ଲବଣ ସତ୍ୟାଗ୍ରୟ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଏହା ସବୁଦିନ ଦେଶବାସୀ ବିଶେଷତଃ ଅସ୍ତରଙ୍ଗ ଓ କାକଟପୁରବାସୀଙ୍କ ଉଦ୍ବୁଦ୍ଧ କରିଥିବ । ମୋର ଗର୍ବ ମୋର ଜନ୍ମ ଏହି ମାଟିରେ । ମୋ ମୃତ୍ୟୁ ପରେ ମୋ ଦେହ ଏହି ପବିତ୍ର ମାଟିରେ ମିଶିବ ବୋଲି ଦୃଢ଼ ବିଶ୍ୱାସ ।
ଯାବତୀୟ ପ୍ରାକୃତିକ ବାଧାବନ୍ଧନ ଓ ଦୁର୍ବିପାକ ସତ୍ତ୍ୱେ ଆମ କାକଟପୁରବାସୀ ଦେଶମାତୃକାର ସେବାରେ ଆଗୁଆ ଥିଲୁ ଓ ଆଗୁଆ ରହିବୁ । ମୋର ସୌଭାଗ୍ୟ ମୋ ଅସ୍ତରଙ୍ଗ ଓ କାକଟପୁରବାସୀ ସ୍ନେହଶ୍ରଦ୍ଧା, ଆଦର ଓ ଆଶୀର୍ବାଦ ଯୋଗୁ ମୋ ପରି ଜଣେ ଅଳ୍ପଶିକ୍ଷିତ ଲୋକ ପ୍ରବାଦ ପୁରୁଷ ବିଜୁ ବାବୁ ଓ ନବୀନ ବାବୁଙ୍କ ନେତୃତ୍ୱରେ ରାଜ୍ୟ ତଥା ଦେଶର ବିକାଶମୁଖୀ କାର୍ଯ୍ୟରେ ନିୟୋଜିତ ହୋଇପାରିଛି । ଏହାର ମୋର ଗର୍ବ । ସମସ୍ତ ଭେଦଭାବ ଭୁଲି ଏହି ଅଞ୍ଚଳର ଉନ୍ନତି ପାଇଁ ସମସ୍ତେ କାର୍ଯ୍ୟ କରିବେ ବୋଲି ମୁଁ ଦୃଢ଼ ଆଶା କରୁଛି ।”
ଆଜି ସେହି ମହାନୁଭବି ବ୍ୟକ୍ତିତ୍ୱଙ୍କର ୮୭ତମ ଶୁଭ ଜନ୍ମଦିବସରେ ଆମ୍ଭେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଅଛୁ । ତାଙ୍କର ସୁସ୍ଥ ଓ ନିରାମୟ ଜୀବନ ନିମନ୍ତେ ମା’ ମଙ୍ଗଳା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଅଛୁ ।
ବାସୁଦେବ ବେହେରା
କମ୍ପାନୀ ସେକ୍ରେଟାରୀ ତଥା ପୁରାତନ ଛାତ୍ର,
ସୁରେନ୍ଦ୍ରନାଥ ସରକାରୀ ଉଚ୍ଚ ବିଦ୍ୟାଳୟ,
ସୁନ୍ଦର, ଅସ୍ତରଙ୍ଗ, ପୁରୀ
ମୋବାଇଲ୍: ୯୬୫୦୫ ୪୦୩୬୩