ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କୁ ତଥ୍ୟ ଯୋଗାଉଥିବା ଗିରଫ ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଅଣାଯିବ

ଭୁବନେଶ୍ବର: ଓଡ଼ିଶାରେ ରହି ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କୁ ତଥ୍ୟ ଯୋଗାଉଥିବା ଗିରଫ ୩ ଅଭିଯୁକ୍ତଙ୍କୁ ଏସଟିଏଫ୍ ୫ ଦିନିଆ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ତଦନ୍ତକୁ ଆଗକୁ ନେବା ଲାଗି ଯୋଜନା କରିଛି ଏସ୍‌ଟିଏଫ୍। ମାସକୁ ୫୦ ହଜାର ଟଙ୍କା ଲୋଭରେ ଓଡ଼ିଶାରେ ରହି ପାକିସ୍ତାନ ଗୁଇନ୍ଦା ଏଜେଣ୍ଟଙ୍କୁ ତଥ୍ୟ ଯୋଗାଉଥିଲେ। ଏଭଳି ଏକ ରାକେଟ୍‌କୁ ଆଜି କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସ୍‌ଟିଏଫ୍) ଠାବ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ରୁ ଦୁଇଜଣ ଓ ଯାଜପୁରର ଜଣେ ଯୁବକ ଥିବା ଜଣାଯାଇଛି। ସେମାନେ ହେଲେ, ନୟାଗଡ଼ ଜିଲ୍ଲା ଇଟାମାଟି ଅଞ୍ଚଳର ପଠାଣିସାମନ୍ତ ଲେଙ୍କା(୩୫), ଆଇଟିଆଇ କଲେଜ ଅଞ୍ଚଳର ସରୋଜ କୁମାର ନାୟକ(୨୬) ଓ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୌମ୍ୟ ପଟ୍ଟନାୟକ(୧୯)। ପଠାଣି ସାମନ୍ତ ଜଣେ ଆଇଟିଆଇ ଶିକ୍ଷକ। ସେମାନଙ୍କ ନିକଟରୁ ୧୯ଟି ଦାମୀ ମୋବାଇଲ, ଲ୍ୟାପଟପ, ୪୭ଟି ସିମ୍‌କାର୍ଡ, ୬୧ଟି ଏଟିଏମ୍ କାର୍ଡ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।

ସେମାନଙ୍କ ବିରୋଧରେ ଆଇପିସିର ଧାରା ୪୧୯/୪୨୦/୪୬୫/୪୬୭/୪୬୮/୪୭୧/ ୧୨୦(ବି)/୩୪ରେ ମାମଲା ରୁଜୁ ହୋଇଛି। ସେମାନଙ୍କୁ ଆଜି ଭୁବନେଶ୍ବର ଏସ୍‌ଡିଜେମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏସଟିଏଫ୍ ତଦନ୍ତରୁ ଜଣାପଡ଼ିଛି ଯେ ସାମାଜିକ ଗଣମାଧ୍ୟମ ଜରିଆରେ ଅଭିଯୁକ୍ତମାନେ ଭାରତରେ ଲୁଚିଥିବା ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟଙ୍କ ସମ୍ପର୍କରେ ଆସିଥିଲେ। ବର୍ଷେରୁ ଅଧିକ ହେବ, ସେମାନଙ୍କ ସହ ସମ୍ପର୍କରେ ଥିଲେ।‌ ସେବେ‌ଠାରୁ ଗୁଇନ୍ଦାଗିରିରେ ସେମାନଙ୍କୁ ସହଯୋଗ କରିଆସୁଥିଲେ। ଗ୍ରାମାଞ୍ଚଳର ସରଳ, ନିରୀହ ଲୋକଙ୍କୁ ଅଳ୍ପ କିଛି ଅର୍ଥ ଦେଇ ସେମାନଙ୍କ ପରିଚୟପତ୍ରରେ ପୁଳାପୁଳା ସିମ୍‌ କିଣୁଥିଲେ। ସେହି ନମ୍ବରକୁ ବ୍ୟବହାର କରି ହ୍ବାଟସ୍‌ଆପ୍‌, ଟେଲିଗ୍ରାମ, ଇନଷ୍ଟାଗ୍ରାମ, ଫେସ୍‌ବୁକ୍‌ ଭଳି ସୋସିଆଲ୍‌ ମିଡିଆରେ ଆକାଉଣ୍ଟ ଖୋଲୁଥିଲେ।

Spread the love