ଜାଲିକାଟୁ ତାମିଲ୍‌ନାଡୁ ସଂସ୍କୃତିର ଏକ ଅଂଶ: ଏହି ଖେଳ ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମ୍‌କୋର୍ଟ

ଚେନ୍ନାଇ: ତାମିଲ୍‌ନାଡୁରେ ଜାଲିକାଟୁ ଖେଳ ଉପରେ ରୋକ ଲଗାଇବାକୁ ସୁପ୍ରିମ୍‌କୋର୍ଟ ମନା କରି ଦେଇଛନ୍ତି। ଶୀର୍ଷ ଅଦାଲତଙ୍କର ଏକ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ ଜାଲିକାଟୁ ତାମିଲନାଡୁ ସଂସ୍କୃତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଏଥିରେ କିଛି ଭୁଲ୍‌ ନାହିଁ। ଖଣ୍ଡପୀଠ ଏପରି ରାୟ ଦେବା ସହ ରାଜ୍ୟ ସରାକାରଙ୍କ ପକ୍ଷରୁ ଏହାକୁ ମଞ୍ଜୁରି ଦେଉଥିବା କାନୁନ ବିରୋଧରେ ରୋକ ଲଗାଇବାକୁ ମଧ୍ୟ ମନା କରି ଦେଇଛନ୍ତି। ଜାଲିକାଟୁ ଖେଳରେ ଷଷ୍ଢମାନଙ୍କ ମଧ୍ୟରେ ଲଢ଼େଇ କରାଯାଏ ଓ ଏହି ଖେଳର ରାଜ୍ୟରେ ବହୁତ ଲୋକପ୍ରିୟତା ଅଛି। କେବଳ ତାମିଲନାଡୁ ନୁହେଁ, ଅଦାଲତ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ମଧ୍ୟ ହେବାକୁ ଥିବା ଏହି ଭଳି ଖେଳ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି।

ଜଷ୍ଟିସ୍‌ କେଏମ୍‌ ଜୋଶେଫ୍‌ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସମ୍ବିଧାନିକ ବୈଠକରେ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ହେଉଥିବା ବଳଦ ଓ ମଇଁଷିମାନଙ୍କ ଖେଳକୁ ଅନୁମତି ଦେଇଛନ୍ତି। ୨୦୧୪ ମସିହାରେ ସୁପ୍ରିମ୍‌କୋର୍ଟଙ୍କ ଏକ ନିଷ୍ପତ୍ତି ପରେ ଏହି ଦୁଇ ଖେଳ ଉପରେ ରୋକ ଲାଗିଥିଲା। ସେ ସମୟରେ ଅଦାଲତ ଏହାକୁ ପଶୁଙ୍କ ପ୍ରତି କ୍ରୁରତା ଆଚରଣ ବୋଲି ଦର୍ଶାଇଥିଲେ। ସେ ସମୟର ଖଣ୍ଡପୀଠରେ ଜଷ୍ଟିସ୍‌ ଅଜୟ ରହତୋଗି, ଜଷ୍ଟିସ୍‌ ଅନିରୁଦ୍ଧ‌ ବୋଷ, ଋଷିକେଶ ରାୟ ଏବଂ ସିଟି ଶିବକୁମାର ସାମିଲ୍ ଥିଲେ।

ତେବେ ଏହି ମାମଲାର ଶୁଣାଣି କରି ଜଷ୍ଟିସ୍‌ ଅନିରୁଦ୍ଧ ବୋଷ କହିଛନ୍ତି, ‘ତାମିଲନାଡୁରେ ଜାଲିକାଟୁକୁ ମାନ୍ୟତା ଦେବା କେବଳ ବିଧାନସଭାରେ ତିଆରି ହୋଇଥିବା ଏକ କାନୁନ ନୁହେଁ। ଏହା କୌଣସି ବି ଭ‌ାବେ ସମ୍ବିଧାନର ଉଲ୍ଲଂଘନ କରୁନାହିଁ। ଏହା ହେଉଛି ସଂସ୍କୃତିର କଥା ଓ ଏହି ଖେଳ ତାମିଲନାଡୁ ସଂସ୍କୃତିର ଏକ ଅଂଶ।’

Spread the love