ବନ୍ଦେ ଭାରତ ଏକ୍ସପ୍ରେସ ମୋଦିଙ୍କୁ ନବୀନଙ୍କ ସ୍ବାଗତ, ପୁରୀ-କୋଣାର୍କ ରେଳପଥ ମଞ୍ଜୁରୀ କରିବାକୁ କଲେ ଦାବି

ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଆଉ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି । ପୁରୀ- ରାଉରକେଲା ଭାୟା ସମ୍ବଲପୁର ଓ ଭୁବନେଶ୍ୱର-ହାଇଦ୍ରାବାଦ ବନ୍ଦେ ଭାରତ ଟ୍ରେନ ଚଳାଚଳ ଆରମ୍ଭ କରିବାକୁ ଦାବି ଜଣାଇଛନ୍ତି । ଏହି ଅବସରରେ ପୁରୀ-କୋଣାର୍କ ରେଳପଥକୁ ମଞ୍ଜୁରୀ ପ୍ରଦାନ କରିବାକୁ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ରାଜ୍ୟ ସରକାର ପ୍ରକଳ୍ପର ୫୦ ପ୍ରତିଶତ ଅର୍ଥ ବହନ କରିବେ ।

ଅନୁଗୁଳ-ସୁକିନ୍ଦା ନୂଆ ରେଳପଥ ଓ ସମ୍ବଲପୁର-ଟିଟିଲାଗଡ଼ ରେଳଲାଇନର ଦୋହରୀକରଣ ଶେଷ ହୋଇଥିବା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଶତ ପ୍ରତିଶତ ରେଳପଥର ବିଦ୍ୟୁତକରଣ ସଂପନ୍ନ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀକୁ ଇଣ୍ଟରନ୍ୟାସନାଲ ହେରିଟେଜ ସାଇଟ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି ନବୀନ। ଆଗାମୀ ୩ରୁ ୪ବର୍ଷ ଭିତରେ ଜଗନ୍ନାଥ ପୁରୀ ଇଣ୍ଟରନ୍ୟାସନାଲ ବିମାନ ବନ୍ଦର କାର୍ଯ୍ୟ ଶେଷ ହୋଇ ଲୋକାର୍ପଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ୱାର୍ଲଡ କ୍ଲାସ ସି-ସାଇଟ ଏୟାର ପୋର୍ଟ ହେବ ବୋଲି କହିଛନ୍ତି।

Spread the love