ମନ୍ତ୍ରୀ ହେବେ ବିକ୍ରମ, ସୁଦାମ, ଶାରଦା; ଆଜି ସକାଳ ୯ଟା ୫୦ରେ ହେବ ଶପଥ ଗ୍ରହଣ

ଭୁବନେଶ୍ୱର: ନବୀନଙ୍କ ପଞ୍ଚମ ପାଳି ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି ପୂର୍ବରୁ ବଦଳିବ ମନ୍ତ୍ରିମଣ୍ଡଳ ଚେହେରା । ଆଜି ଶପଥ ନେବେ ୩ ଜଣ ନୂଆ ମନ୍ତ୍ରୀ । ମନ୍ତ୍ରିମଣ୍ଡଳକୁ ଫେରିବେ ୩ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାରଦା ନାୟକ ଓ ସୁଦାମ ମାର୍ଣ୍ଡି । ସକାଳ ୯ଟା ୫୦ ମିନିଟରେ ଶପଥ ଗ୍ରହଣ ହେବ । ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏଥିପାଇଁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନୂଆ ମନ୍ତ୍ରୀମାନେ ଶପଥ ନେବା ପରେ ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ ହୋଇପାରେ ବୋଲି ସୂଚନା ମିଳିଛି । ପୁଣି ଥରେ ଅଭିଜ୍ଞ ଓ ଅନୁଭବୀଙ୍କ ଉପରେ ଭରସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ନାୟ ପୂର୍ବରୁ ନବୀନଙ୍କ କ୍ୟାବିନେଟରେ ମନ୍ତ୍ରୀ ରହିଥିଲେ । ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ମନ୍ତ୍ରିମଣ୍ଡଳର ଶେଷ ସମ୍ପ୍ରସାରଣ ବୋଲି କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଓଡ଼ିଶାର ଏହି ୩ ଭେଟେରାନଙ୍କୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିବାକୁ ଯାଉଛି । ନବ ଦାସଙ୍କୁ ହତ୍ୟା ପରେ ଖାଲି ପଡ଼ିଥିଲା ସ୍ୱାସ୍ଥ୍ୟ ମନ୍ତ୍ରୀ ପଦ । ସେହିପରି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ଶ୍ରମ ମନ୍ତ୍ରୀ ପଦରୁ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ୱାସ୍ଥ୍ୟ ଓ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗଣଶିକ୍ଷା ଓ ଶ୍ରମ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ଖାଲି ପଡ଼ିଥିବା ୩ଟି ମନ୍ତ୍ରୀ ପଦରେ ଏମାନଙ୍କୁ ଅବସ୍ଥାପିତ କିମ୍ବା ମନ୍ତ୍ରୀଙ୍କ ଭିତରେ ବିଭାଗ ଅଦଳବଦଳ କରିବା ସମ୍ଭାବନା ରହିଛି । ସେହିପରି କିଏ ହେବେ ବିଧାନସଭାର ନୂଆ ବାଚସ୍ପତି ତାଉପରେ ରହିଛି ନଜର ।

Spread the love