ରାଜ୍ୟର ସବୁଠୁ ଦୀର୍ଘ ‘ଯୋଡ଼ା ଫ୍ଲାଏଓଭର’ର ନିର୍ମାଣ କାମ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବ: ୫-ଟି ସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନ୍ ଶନିବାର ଠାରୁ ଦୁଇ ଦିନିଆ କେଉଁଝର ଗସ୍ତ କରିଛନ୍ତି। ୫-ଟି ସଚିବ ଆଜି ପାଟଣା, ଚମ୍ପୁଆ, ଯୋଡ଼ା ବ୍ଲକ ଓ କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ ବହୁସଂଖ୍ୟକ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଖଣି ସମୃଦ୍ଧ ବଡବିଲର ପ୍ରଦୂଷଣ ଓ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ଖୁବ୍ ଶୀଘ୍ର ୧୪୦୦ କୋଟି ଟଙ୍କାର ବଡବିଲ ରିଂ ରୋଡ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବିଷୟରେ ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ। ସେ ଯୋଡ଼ା ଫ୍ଲାଏଓଭର ସ୍ଥଳୀରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। କାର୍ଯ୍ୟ ନିର୍ଦ୍ଧାରିତ ସମୟକୁ ଆଖିରେ ରଖି ଅଗ୍ରଗତି କରୁଛି ଏବଂ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବବୋଲି ଉପସ୍ଥିତ ଓବିସିସି ଅଧିକାରୀମାନେ ୫-ଟି ସଚିବଙ୍କୁ ଅବଗତ କରିଥିଲେ। ସେଠାରୁ ସେ ଯୋଡ଼ାଠାରେ ଥିବା ଜରାଶ୍ରମକୁ ପରିଦର୍ଶନରେ ଯାଇଥିଲେ। ଯେଉଁଠାରେ ବର୍ତ୍ତମାନ ଉଭୟ ପୁରୁଷ ଓ ମହିଳାଙ୍କୁ ମିଶାଇ ମୋଟ ୫୦ ଜଣ ଅନ୍ତେବାସୀ ରହୁଛନ୍ତି। ସମସ୍ତଙ୍କ ଠାରୁ ୫-ଟି ସଚିବ ସେମାନଙ୍କର ଅଭିଜ୍ଞତା ଏବଂ ମିଳୁଥିବା ସୁବିଧା ସମ୍ପର୍କରେ ପଚାରିବୁଝିଥିଲେ।
୫-ଟି ସଚିବ ଶ୍ରୀ ପାଣ୍ଡିଆନ୍‌ ପ୍ରଥମେ ପାଟଣା ବ୍ଲକର ଭୀମକଣ୍ଡକୁ ଯାଇ ସେଠାରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଭୀମକଣ୍ଡକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରାଯିବା ନେଇ ସେ ସୂଚନା ଦେଇଥିଲେ। ଏ ସମ୍ପର୍କିତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଯଥାଶୀଘ୍ର ପ୍ରସ୍ତୁତ କରିବାକୁ ସେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ସେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସ୍ଥାନୀୟ ଅଞ୍ଚଳର ବିଭିନ୍ନ ମନ୍ଦିର ଏବଂ ମସଜିଦର ପାରିପାର୍ଶ୍ୱିକ ବିକାଶ ନେଇ ଯେଉଁସବୁ ଅନୁରୋଧ ଆସିଛି, ସେ ସବୁକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବେ ବୋଲି କହିଥିଲେ।
ଏହାପରେ ୫-ଟି ସଚିବ ଚମ୍ପୁଆ ଯାଇ ଚମ୍ପୁଆ ଏନଏସିସ୍ଥିତ ଜଳ ବିଶୋଧନାଗାର(ଡବ୍ଲୁଟିପି) ପରିଦର୍ଶନ କରିଥିଲେ। ସେଠାରେ ତାଙ୍କୁ ଜାରି ରହିଥିବା ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ପ୍ରକଳ୍ପ ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ଏହି ପ୍ରକଳ୍ପଟି ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ। ଏହା ବ୍ୟତୀତ ‘ଗ୍ରାମୀଣ ମେଗା ପାଇପ୍ ଜଳ ଯୋଗାଣ’ ପ୍ରକଳ୍ପ ଚଳିତ ବର୍ଷ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ ହେଉଥିବା ବିଷୟ ରେ ତାଙ୍କୁ ଅଧିକାରୀମାନେ ଅବଗତ କରିଥିଲେ।
ଏହି ଅବସରରେ ୫-ଟି ସଚିବ ‘ଜଳ ସାଥୀ’ମାନଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କ ହିତପାଇଁ ସେମାନଙ୍କ କାର୍ଯ୍ୟ ବେଶ୍ ଗୁରୁତ୍ୱବହନ କରୁଛି ବୋଲି କହିଥିଲେ। ଏହାପରେ ସେ ନେହେରୁ ଷ୍ଟାଡିୟମରେ ଏକ ସ୍ଥାନୀୟ ସମାବେଶକୁ ସମ୍ବୋଧିତ କରିଥିଲେ। ସେଠାରେ ଫ୍ଲୁଡ୍ ଲାଇଟର ବ୍ୟବସ୍ଥା ଆଗାମୀ ୭ ଦିନ ମଧ୍ୟରେ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ପାନୀୟ ଜଳ ଏବଂ କୃଷକମାନଙ୍କର ସମସ୍ୟାକୁ ତୁରନ୍ତ ସମାଧାନ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଏନେଇ ୭ ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେଠାରୁ ୫-ଟି ସଚିବ ବଡ଼ବିଲ ଗସ୍ତକରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ସେ ଏନଆରସି(ପୁଷ୍ଟିକର ପୁନର୍ବାସ କେନ୍ଦ୍ର) ଏବଂ ଡାଇଲିସିସ୍ ସେଣ୍ଟରରେ ଚାଲିଥିବା କାର୍ଯ୍ୟଗୁଡ଼ିକର ତଦାରଖ କରିଥିଲେ। ଏହି ସୁବିଧା ଓଡିଶା ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ରୋଗୀମାନଙ୍କର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେଉଥିବା ଜାଣି ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ଏନଆରସି ଓ ଡାଇଲିସିସ୍ ସେଣ୍ଟରରେ ଉପଲବ୍ଧ ହେଉଥିବା ସୁବିଧା ବିଷୟରେ ରୋଗୀମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ମତାମତକୁ ଶୁଣିଥିଲେ। ଏସବୁ ସୁବିଧାଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ ଆହୁରି ବଢ଼ାଇବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହାଦ୍ୱାରା ସାଧାରଣ ଜନତା ଏହାର ଅଧିକ ଲାଭ ପାଇପାରିବେ।

Spread the love