ଓଡିଆ ଜାତି ଦୟାରେ ନୁହେଁ ଲଢେଇ କରି ସ୍ୱୀକୃତି ପାଇବ – ଧର୍ମେନ୍ଦ୍ର ପ୍ରଧାନ

ଖୋର୍ଦ୍ଧା : ଓଡିଆ ଜାତି କାହା ଦୟାରେ ନୁହଁ ଲଢେଇ କରି ସ୍ୱୀକୃତି ପାଇବ ବୋଲି ରବିବାର ଖୋର୍ଦ୍ଧା ବରୁଣେଇ ଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପାଇକ ବିଦ୍ରୋହର ସ୍ମୃତିକୁ ଅମର କରି ରଖିବା ପାଇଁ ଖୋର୍ଦ୍ଧାର ଅନତିଦୂରରେ ଥିବା ବରୁଣେଇ ଠାରେ ଏକ ଭବ୍ୟ ସ୍ମାରକ ନିର୍ମାଣ ପାଇଁ ମୋଦି ସରକାର ୨୦୧୭ ମସିହାରେ ଘୋଷଣା କରିଥିଲେ । ୨୦୧୮ ମସିହାରେ ପ୍ରଧାନମବୀ ମୋଦି ପାଇକ ବିଦ୍ରୋହର ସଂଗ୍ରାମୀ ପୀଠ ବରୁଣେଇରେ ପାଇକ ବିଦ୍ରୋହର କର୍ଣ୍ଣଧାର ମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇକ ବିଦ୍ରୋହର ୨ ଶତାବ୍ଦୀ ପାଳନ ନାଁରେ ବରେଣ୍ୟ ପାଇକ ବୀରଗଣଙ୍କ ବଂଶଧରଙ୍କୁ ସମ୍ବର୍ଦ୍ଧିତ କରି ରାଷ୍ଟ୍ରୀୟ ସ୍ତରରେ ସମ୍ମାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପାଇକ ବିଦ୍ରୋହ ସ୍ମାରକ ମୁଦ୍ରା, ସ୍ମାରକ ଡାକ ଟିକେଟ୍ ଉନ୍ମୋଚନ ତଥା ଉକ୍ରଳ ବିଶ୍ୱବିଦ୍ୟାଳୟରେ ୫ କୋଟି ଟଙ୍କା ବ୍ୟୟରେ ବକ୍ସି ଜଗବନ୍ଧୁ ଚେୟାରକୁ ଅୟମାରମ୍ଭ କରି ପାଇକ ବିଦ୍ରୋହକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୭ ମସିହାର ତକ୍ରାଳୀନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପାଇକ ବିଦ୍ରୋହର ରାଷ୍ଟ୍ରୀୟ ଉତ୍ସବକୁ ଉଦ୍ଘାଟନ କରି ପାଇକ ବିଦ୍ରୋହକୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଆଦ୍ୟ-ଉଦଘୋଷଣାର ଉଜ୍ଜଳ ଘଟଣା ବୋଲି ଅଭିହିତ କରିଥିଲେ । ଏତଦବ୍ୟତିତ, କେନ୍ଦ୍ର ସଂସ୍କୃତି ବିଭାଗ ନେତୃତ୍ୱରେ ଶୌର୍ଯ୍ୟ ପୂଣ୍ୟ ପାଇକ ବିଦ୍ରୋହକୁ ‘ଏନ୍ସିଇଆରଟି’ର ପାଠ୍ୟ ପୁସ୍ତକରେ ସ୍ଥାନୀତ କରାଯିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୮୦୩ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡିଶା ଉପରେ କବଜା କଲା । ଏହି ସମୟରେ ବାଳୁତ ରାଜା ମୁକୁନ୍ଦ ଦେବଙ୍କର ଅଭିଭାବକ ଜୟୀ ରାଜଗୁରୁ ଯୁଦ୍ଧର ରାସ୍ତାକୁ ଓହ୍ଲାଇଲେ । ଜୟୀ ରାଜଗୁରୁଙ୍କ ସହିତ ଓଡିଆ ବୀରମାନେ ବ୍ରିଟିଶ ଓଡିଶାରେ ପାଦ ଦେଉ ଦେଉ ତାଙ୍କର ଅସ୍ଥାନକୁ ଦୋହଲାଇ ଦେଇଥିଲେ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ବରୁଣେଇ ପାହାଡର ପାଦଦେଶରେ ଏହି ସ୍ମାରକୀର ଶୁଭାରମ୍ଭ ହୋଇଯାଇଛି । ଏହି ସ୍ମାରକୀ ୨୦୦ ବର୍ଷ ପର୍ଯ୍ୟନ୍ତ ଓଡିଆ ଜାତିର ବିଜୟଗାଥାକୁ ବିଶ୍ୱରେ ପ୍ରତିପାଦିତ କରିବ ।

Spread the love