ହାଇଦ୍ରାବାଦ ଜି-୨୦ ସମ୍ମିଳନୀରେ ୭ଟି ଦେଶର କୃଷିମନ୍ତ୍ରୀ କିଣିଲେ ମାଲକାନଗିରି ଜିଲ୍ଲାର ହଳଦୀଗୁଣ୍ଡ

ମାଲକାନଗିରି: ସ୍ବାଭିମାନ ଅଞ୍ଚଳର ହଳଦୀଗୁଣ୍ଡ ହାଇଦ୍ରାବାଦ ଠାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ପ୍ରଦର୍ଶିତ ହୋଇଛି। ଏହି ହଳଦୀଗୁଣ୍ଡର ସେଠାରେ ବେଶ୍ ଚାହିଦା ରହିଥିବା ବେଳେ ୭ଟି ଦେଶର କୃଷି ମନ୍ତ୍ରୀ ହଳଦୀଗୁଣ୍ଡ କିଣି ନେଇଛନ୍ତି।

ସୂଚନା ଅନୁଯାୟୀ, ହାଇଦ୍ରାବାଦ ଠାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ୨୦ଟି ଦେଶର କୃଷି ମନ୍ତ୍ରୀ ଯୋଗ ଦେଇଥିଲେ। ସେଥିମଧ୍ୟରୁ ଫିନଲ୍ୟାଣ୍ଡ, ଜର୍ମାନୀ, ନେଦେରଲ୍ୟାଣ୍ଡ ଓ ଇଟାଲି ପ୍ରମୁଖ ଦେଶର ୭ ଜଣ କୃଷି ମନ୍ତ୍ରୀ ଏହି ହଳଦୀଗୁଣ୍ଡକୁ କ୍ରୟ କରି ନେଇଛନ୍ତି। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳର ଓରମାସ ପକ୍ଷରୁ ହଳଦୀଗୁଣ୍ଡ ଉତ୍ପାଦକ ଗୋଷ୍ଠୀ କରାଯାଇଛି। ପଣସପୁଟ, ପାପରମେଟଲା, ବଡପଦର, ଯୋଡାମ୍ବ ଠାରେ ପ୍ରସ୍ତୁତ ହେଉଥିବା ହଳଦୀଗୁଣ୍ଡକୁ ଓରମାସ ପକ୍ଷରୁ ପ୍ୟାକେଟ୍ କରାଯାଇଛି।

ପୂର୍ବରୁ ଏହି ହଳଦୀଗୁଣ୍ଡ ବିଭିନ୍ନ ପଲ୍ଲିଶ୍ରୀ ମେଳାକୁ ଯାଇଥିବା ବେଳେ ଏବେ ଜି-୨୦ ସମ୍ମିଳନୀକୁ ଯାଇଥିଲା। ‌ଗୋଟିଏ ଏଜେନ୍ସି ‌ମାଲକାନଗିରିର ହଳଦୀଗୁଣ୍ଡ ସହିତ କେରାପୁଟର ହଳଦୀ ସାବୁନ ଓ ମାଣ୍ଡିଆ ଚୁନାକୁ ନେଇ ସେଠାରେ ପ୍ରଦର୍ଶିତ କରିଥିଲେ। ବିଦେଶୀ ମନ୍ତ୍ରୀମାନ‌େ ଆଦିବାଦୀଙ୍କ ଏହି ହଳଦୀଗୁଣ୍ଡକୁ ଦେଖି ଆଗ୍ରହ ସହ କ୍ରୟ କରିଥିବା ଓରମାସ ପକ୍ଷରୁ ସୂଚନା ମିଳିଛି।

Spread the love