ଯୋଗ ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ : ମନମୋହନ ସାମଲ

ଭୁବନେଶ୍ୱର,ତା.୨୧/୦୬: ଆଜି ୯ମ ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ଗାଁ ଠୁ ସହର ସବୁ କୋଣ ଅନୁକୋଣରେ ଯୋଗ ଦିବସ ପାଳନ କରାଯାଇଛି । ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଭୁବନେଶ୍ୱର ସ୍ଥିତ ମୂଳା ପଡିଆଠାରେ ଯୋଗ କରିବା ସହ ସମଗ୍ର ଓଡିଶାବାସୀଙ୍କୁ ଯୋଗ ମାଧ୍ୟମରେ ନିରୋଗ ରହିବା ପାଇଁ ବାର୍ତା ଦେଇଛନ୍ତି । ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ବିଭିନ୍ନ ରୋଗ ମଧ୍ୟ ଭଲ ହୋଇଥାଏ । କେବଳ ଯୋଗ ଦିବସରେ ନୁହେଁ ନିୟମିତ ଯୋଗ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି ଶ୍ରୀ ସାମଲ ।
ଶ୍ରୀ ସାମଲ କହିଛନ୍ତି ଯେ, ଯୋଗ ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ୬୦୦୦ ବର୍ଷ ପୂର୍ବେ ଭାରତରେ ଯୋଗର ଉତ୍ପତି ହୋଇଥିଲା । ବୈଦିକ ଯୁଗର ପରମ୍ପରା ଅନୁସାରେ ଯୋଗ ହିଁ ସମସ୍ତ ରୋଗର ନିବାରକ ହୋଇପାରିବ ବୋଲି ବେଦ ଓ ଉପନିଷେଦରେ ବର୍ଣ୍ଣିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିବା ପରେ ଯୋଗକୁ ଗୁରୁତ୍ୱ ଦେଇଥିଲେ । ମୋଦିଜୀଙ୍କ ପ୍ରୟାସ କ୍ରମେ ଆନ୍ତର୍ଜାତୀୟ ସ୍ତରରେ ଯୋଗ ଦିବସକୁ ପାଳନ କରିବା ପାଇଁ ମିଳିତ ଜାତିସଂଘ ଅଧିବେସନ ଦ୍ୱାରା ଡିସେମ୍ବର ୧୧,୨୦୧୪ରେ ସଂକଳ୍ପ ହୋଇଥିଲା । ଆଜି ଭାରତର ଯୋଗାଭ୍ୟାସକୁ ସମଗ୍ର ବିଶ୍ୱ ଆପଣାଇଛି । ଯୋଗ କରିବା ଦ୍ୱାରା ଆମର ଶାରୀରିକ ଏବଂ ମାନସିକସ୍ତରରେ ସକରାତ୍ମକ ବାତାବରଣ ସୃଷ୍ଟି ହେବା ସହ ଆମ ଶୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ପ୍ରତିଦିନ ନିୟମିତ ରୂପରେ ଯୋଗାଭ୍ୟାସ କଲେ ମନୁଷ୍ୟ ଶରୀରରେ ଦେଖାଯାଉଥିବା ବହୁବିଧ ରୋଗ ନିୟନ୍ତ୍ରଣ ହୋଇଥାଏ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଯୋଗ ଦିବସରେ ଶ୍ରୀ ସାମଲଙ୍କ ସହ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଓ ସାଧାରଣ ନାଗରିକ ଉପସ୍ଥିତ ଥିଲେ । ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟର ଅନେକ ସ୍ଥାନରେ ଯୋଗ ଦିବସ ପାଳିତ ହୋଇଯାଇଛି ।

Spread the love