ବିଜେଡି ମୁଖପାତ୍ର ବ୍ୟକ୍ତିଗତ ସହାୟକଙ୍କୁ ଖୁସି କରିବା ପାଇଁ ମନଇଚ୍ଛା ବୟାନ ଦେଉଛନ୍ତି – ଗୋଲକ ମହାପାତ୍ର

ଭୁବନେଶ୍ୱର: ବିଜେଡ଼ି ମୁଖପାତ୍ର ହେଉଛନ୍ତି ମୁଦା ବସା ମାଙ୍କଡ଼ l ଫକୀର ଯାହା କହିବ ମାଙ୍କଡ ସେଇ ଅନୁସାରେ ନାଚିବ l ଅତୀତରେ ସେ ନିଜେ ଓ ତାଙ୍କ ନିଜର ପରିବାରର ଯାବତୀୟ କୁକର୍ମର ସୁରକ୍ଷା ଡୋରି ଫକୀର ହାତରେ ଥିବାରୁ ସେ ସବୁଥିରେ ମୁଣ୍ଡ ଟୁଙ୍ଗାରିଛନ୍ତି l ସେହିଭଳି ଭାବରେ ଏହି ଦଳର ମୁଖପାତ୍ର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଖୁସି କରିବା ପାଇଁ ମନଇଚ୍ଛା ବୟାନ ଦେଉଛନ୍ତି ବୋଲି କହିଛନ୍ତି ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଶ୍ରୀ ପାତ୍ର କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ବିରୋଧୀ ଦଳର ଭୂମିକା ନେଇଥିବା ବେଳେ ଆଗାମୀ ଦିନରେ ସରକାର ଗଢିବା ପାଇଁ ପ୍ରସ୍ତୁତ । ହୁଏତ ଏଥିରେ ବିଜେଡ଼ି ମୁଖପାତ୍ର ଭୟଭୀତ ଅଛନ୍ତି । ଓଡ଼ିଶାରେ ଲୋକମାନେ ପ୍ରଶ୍ନ କଲେଣି ସରକାର ଚଲାଉଛି କିଏ । ଏହି କଥା ମୁଖପାତ୍ରଙ୍କ ହୃଦୟକୁ ବାଧୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଭୟରେ ରାଜ୍ୟ ସରକାର ରାଜନୈତିକ ଅଭିସନ୍ଧି ରଖି ଦୀର୍ଘ ୫ବର୍ଷ ହେଲା ଓଡ଼ିଶାର ପ୍ରାୟ ୬୦ଲକ୍ଷ ଗରିବ ପରିବାରକୁ ଆୟୁଷ୍ମାନ ଭାରତ ଯୋଜନାରୁ ବଂଚିତ ରଖିଛନ୍ତି । ଗ୍ରାମୀଣ ଓଡ଼ିଶାର ପ୍ରାୟ ୩୩.୪୫ ପ୍ରତିଶତ ପରିବାର କାମ କରିବା ପାଇଁ ବାହାର ରାଜ୍ୟକୁ ଯାଆନ୍ତି । ଗଞ୍ଜାମ ସମେତ ଏହି ପ୍ରବାସୀ ଓଡ଼ିଆମାନଙ୍କ ସଂଖ୍ୟା ଆଜି କୋଟିଏ ଟପିଲାଣି । ଏହା କେଉଁ ପ୍ରକାରର ସାର୍ବଜନୀନ ସ୍ୱାସ୍ଥ୍ୟସେବା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରଧାନମନ୍ତ୍ରୀ ସାଢେ ୯ ଲକ୍ଷ ଘର ଅନୁମୋଦନ ଦେବା ପରେ ରାଜ୍ୟ ସରକାର ଷଡଯନ୍ତ୍ର କରିଛନ୍ତି । ମାତ୍ର ଶାସକ ଦଳ ଦଳୀୟ ଆଧାରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ସହ ହାତଗୁଞ୍ଜା ନେଉଛି । ରାଜ୍ୟରେ ଯୋଗ୍ୟ ହିତାଧିକାରୀ ଘର ପାଉନାହାନ୍ତି । ବିଜେଡି ମୁଖପାତ୍ର ଓ ତାଙ୍କ ମୁଖିଆଙ୍କ ଆଧାରରେ ଏହି ବିଷୟ ଯଦି ଓଡ଼ିଶାବାସୀଙ୍କୁ ଜଣାଇବା ଭୁଲ ତେବେ ସେ ଏପରି ଅଯଥା ବୟାନ ଦେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରନ୍ତୁ ନାହିଁ । ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ମନରେ ଲଢେଇ କରିବା ପାଇଁ ଥିଲେ ସେ ବାସ୍ତବ କଥା କୁହନ୍ତୁ । ଅନ୍ୟ କାହା କଥା ଆଧାରରେ କିଛି ବୟାନ ଦିଅନ୍ତୁ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Spread the love